କମିଲା ଜିଏସଟି ଆଦାୟ ପରିମାଣ !

41

କନକ ବ୍ୟୁରୋ : ଜୁଲାଇ ତୁଳନାରେ ଅଗଷ୍ଟରେ ଦେଶରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ଆଦାୟ ପରିମାଣ ହ୍ରାସ ଘଟିଛି । କାର୍ଯ୍ୟକାରୀ ହେବାର ପ୍ରଥମ ମାସ ଅର୍ଥାତ୍‌ ଜୁଲାଇରେ ମୋଟ ୯୪,୦୬୩ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିବା ସଂଶୋଧିତ ଅଟକଳରୁ ଜଣାଯାଇଛି । ପ୍ରାରମ୍ଭିକ ଅଟକଳରେ ଏହା ୯୨,୨୮୩ କୋଟି ଟଙ୍କା ରହିଥିଲା । ତେବେ ଅଗଷ୍ଟରେ ଏହି ରାଶି ୯୦,୬୬୯ କୋଟି ଟଙ୍କା ରହିଛି । ଏଥିରୁ ୨୧,୦୬୭ କୋଟି ଟଙ୍କା ଏସଜିଏସଟି ଆକାରରେ ଆସିଥିବାବେଳେ ସିଜିଏସଟି ବାବଦରେ ୧୪,୪୦୨ କୋଟି ଏବଂ ଜିଏସଟି କ୍ଷତିପୂରଣ ସେସ୍‌ ବାବଦରେ ୭୮୨୩ କୋଟି ଟଙ୍କା ଆଦାୟ ହୋଇଛି ।

gstମୋଟ ଜିଏସ୍‌ଟି ରାଶି ମଧ୍ୟରୁ ୪୭,୩୭୭ କୋଟି ଟଙ୍କା ଆଇଜିଏସ୍‌ଟି ଆକାରରେ ଆଦାୟ ହୋଇଛି । ତେବେ କେତେକ ଟିକସଦାତା ଉଭୟ ଜୁଲାଇ ଏବଂ ଅଗଷ୍ଟ ପାଇଁ ଏପର୍ଯ୍ୟନ୍ତ ଜିଏସ୍‌ଟି ରିଟର୍ଣ୍ଣ ଫାଇଲ କରି ନଥିବାରୁ ଆଗାମୀ ଦିନରେ ଜିଏସ୍‌ଟି ରାଶି ବୃଦ୍ଧି ପାଇବା ନେଇ ସରକାର ଆଶା ରଖିଛନ୍ତି । ଅଗଷ୍ଟରେ ମୋଟ ୬୮.୨ ଲକ୍ଷ ପଞ୍ଜୀକୃତ ଜିଏସ୍‌ଟି ଟିକସଦାତାଙ୍କ ମଧ୍ୟରୁ ୩୭.୬ ଲକ୍ଷ ବା ୫୫ ପ୍ରତିଶତ ଟିକସ ପ୍ରଦାନ କରିଛନ୍ତି । ଜୁଲାଇରେ ଏହି ହାର ୬୫ ପ୍ରତିଶତରେ ରହିଥିଲା ।