ରାଜ୍ୟ ବିଧାନସଭାର ଐତିହାସିକ ମୁହୂର୍ତ୍ତ : ଜିଏସଟି ସଂକଳ୍ପରେ ମୋହର ମାରିଲା ଓଡିଶା

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ବିଧାନସଭାର ଆଜି ଥିଲା ଏକ ଐତିହାସିକ ମୁହୂର୍ତ୍ତ । କାରଣ ଜିଏସଟି ଲାଗୁ ପାଇଁ ଅତିକମରେ ଆବଶ୍ୟକ ହେଉଥିବା ୧୬ଟି ରାଜ୍ୟର ବିଧାନସଭାର ସ୍ୱୀକୃତି ଆଜି ଓଡିଶା ସହ ପୁରଣ ହୋଇଛି । ୧୬ତମ ରାଜ୍ୟ ଭାବରେ ଆଜି ଓଡିଶା ବିଧାନସଭା ଗୁଡସ୍ ଆଣ୍ଡ୍ ସର୍ଭିସେସ୍ ଟାକ୍ସ ସମ୍ବିଧାନ ସଂଶୋଧନ ସଂକଳ୍ପକୁ ସର୍ବସମ୍ମତିକ୍ରମେ ପାରିତ କରିଛି।

ସବୁଠାରୁ ବଡ କର ସଂସ୍କାର ପଦକ୍ଷେପରେ ସାରା ଦେଶରେ ଏକକ ଟିକସ ବ୍ୟବସ୍ଥା – ଜିଏସଟି ଲାଗୁ ହେବାକୁ ଯାଉଛି । ଏହା ଦ୍ୱାରା ଆଉ ବିଭିନ୍ନ ସ୍ତରରେ ଟିକସ ଦେବାକୁ ପଡିବ ନାହିଁ । ପ୍ରାୟ ୧୭ଟି ପରୋକ୍ଷ ଟିକସ ଉଚ୍ଛେଦ ହୋଇଯିବ । ଆଜି ବିଧାନସଭାରେ ତର୍ଜମା ବେଳେ ବିରୋଧୀ ଜାଣିବାକୁ ଚାହିଁଥିଲେ, ଏହା ଦ୍ୱାରା ଓଡିଶାର ଲାଭ କଣ ହେବ । ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା, ରାଜ୍ୟ ସରକାର ଗ୍ରୀନ ଟାକ୍ସ ଲାଗୁ କରିବା ଓ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଚଳିତ କର ବ୍ୟବସ୍ଥ ବାବଦରେ ହେବାକୁ ଥିବା କ୍ଷତିର ଭରଣା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ।

ପୂର୍ବରୁ ଗୋଆ, ଗୁଜୁରାଟ, ମହାରାଷ୍ଟ୍ର ଓ ବିହାର ଭଳି ୧୫ଟି ରାଜ୍ୟ ଜିଏସଟି ପାଇଁ ସମ୍ବିଧାନ ସଂଶୋଧନ ସଂକଳ୍ପକୁ ପାରିତ କରିଛନ୍ତି । ଆଜି ଓଡିଶା ବିଧାନସଭାରେ ଏହା ପାରିତ ହେବା ପରେ ରାଷ୍ଟ୍ରପତି ଜିଏସଟି କାଉନସିଲ ଗଠନ ପାଇଁ ବିଜ୍ଞପ୍ତି ଜାରି କରିପାରିବେ । ଏହା ପରେ ସାରା ଦେଶରେ ଏକକ ଟିକସ ବ୍ୟବସ୍ଥା ଲାଗୁ ହେବ।