୯୫୦୦ କୋଟିର ରାଜସ୍ୱ ହରାଇବେ ୧୧ଟି ରାଜ୍ୟ ! ଏହି ତାଲିକାରେ ରହିଛି ଓଡ଼ିଶା

29

କନକ ବ୍ୟୁରୋ: ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ଲାଗୁ କରାଯାଇଥିବାରୁ ଚଳିତ ବର୍ଷ ୧୧ଟି ରାଜ୍ୟ ୯୫୦୦ କୋଟି ଟଙ୍କାର ରାଜସ୍ୱ ହରାଇବେ । ଏହି ରାଜ୍ୟଗୁଡ଼ିକ ତାଲିକାରେ ଓଡ଼ିଶା ମଧ୍ୟ ରହିଛି । ଇଣ୍ଡିଆ ରେଟିଂ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି । ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ପଂଜାବ ଏବଂ ତାମିଲନାଡୁ ଭଳି ବଡ଼ ରାଜ୍ୟ ଜିଏସଟି ଯୋଗୁଁ ଚଳିତ ବର୍ଷ ୫୬୦୦ କୋଟି ଟଙ୍କାର କ୍ଷତି ସହିବେ ।

ସେମାନଙ୍କ ରାଜସ୍ୱ କ୍ଷତି ଭରଣା କରିବାକୁ ହେଲେ ଏହି ଟଙ୍କା ସରକାରଙ୍କୁ ଯୋଗାଡ଼ କରିବାକୁ ପଡ଼ିବ ବୋଲି ଇଣ୍ଡିଆ ରେଟିଂ ପକ୍ଷରୁ କୁହାଯାଇଛି । ଗୋଆ, ଜମ୍ମୁ-କାଶ୍ମୀର ଏବଂ ଝାଡ଼ଖଣ୍ଡ ଭଳି ଛୋଟ ରାଜ୍ୟ ୩୯୦୦ କୋଟି ଟଙ୍କାର ରାଜସ୍ୱ ହରାଇବେ ।

ଜିଏସଟି ଲାଗୁ କରିବା ପରେ ଭାଟ୍, ବିକ୍ରି କର ଭଳି ପରୋକ୍ଷ ଟିକସଗୁଡ଼ିକ ଉଚ୍ଛେଦ ହୋଇଛି । ମାତ୍ର ଏବେ ବି ଆୟ, ସମ୍ପତ୍ତି ଏବଂ ପୁଞ୍ଜି ଆୟ, ପେଟ୍ରୋଲିୟମ୍ ଉତ୍ପାଦ, ରାଜ୍ୟ ଏକ୍ସାଇଜ୍ ଏବଂ ବିଦ୍ୟୁତ ଶୁଳ୍କ ଉପରେ ଜିଏସଟି ଲାଗୁ କରାଯାଇନାହିଁ । ତେଣୁ ଏହି ସବୁ କ୍ଷେତ୍ରରେ ସରକାର ଟିକସ ଆଦାୟ କରି ନିଜର ରାଜସ୍ୱ ପରିମାଣ ବଢ଼ାଇ ପାରିବେ ।