ବାହୁବଳୀ ସାହାଯ୍ୟରେ ଲଞ୍ଚ ହେଲା ଜିସ୍ୟାଟ-୨୯ ସାଟେଲାଇଟ । ମହାକାଶରୁ ରଖିବ ଶତ୍ରୁପକ୍ଷ ଉପରେ ନଜର । ଦେଖନ୍ତୁ ଭିଡିଓ

215

ଭାରତର ସବୁଠୁ ଶକ୍ତିଶାଳୀ ବାହୁବଳୀ ରକେଟ ଜିଏସଏଲଭି ମାର୍କ-୩ ଜରିଆରେ ଅତ୍ୟାଧୁନିକ ଯୋଗାଯୋଗ ସାଟେଲାଇଟ ଜିସାଟ-୨୯କୁ ସଫଳତାର ସହ ମହାକାଶକୁ ଛଡାଯାଇଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ ଗବେଷଣା କେନ୍ଦ୍ରରୁ ଏହି ଅତ୍ୟାଧୁନିକ ଯୋଗାଯୋଗ ସାଟେଲାଇଟକୁ ଅତି ସଫଳତାର ସହ ମହାକାଶକୁ ଛାଡିଛି ଇତ୍ସୋ । ସନ୍ଧ୍ୟା ପ୍ରାୟ ୫ଟା ୮ମିନିଟରେ ଏହି ଉପଗ୍ରହକୁ ଲଞ୍ଚ କରାଯାଇଛି । ଏହାସହ ଶ୍ରୀହରିକୋଟାରୁ ଭାରତ ଦ୍ୱାରା ନିର୍ମିତ ୩୩ ତମ ସାଟେଲାଇଟ ଛାଡିବାରେ ସକ୍ଷମ ହୋଇଛି ଭାରତ ।

ଏହି ରକେଟଟି ଉତକ୍ଷେପଣର ମାତ୍ର ୧୬ ମିନିଟରେ ହିଁ ଜିସ୍ୟାଟ୍-୨୯କୁ ନିଜ କକ୍ଷପଥରେ ସ୍ଥାପନ କରିଛି । ଜିସ୍ୟାଟ-୨୯ର ଓଜନ ହେଉଛି ୩୪୨୩ କିଲୋଗ୍ରାମ । ଏହି ଉପଗ୍ରହ ଦ୍ୱାରା ଜମ୍ମୁ-କାଶ୍ମୀର ଓ ଉତ୍ତର ପୂର୍ବ ଭାରତର ବିଚ୍ଛିନ୍ନାଞ୍ଚଳରେ ଇଣ୍ଟରନେଟ ସୁବିଧା ବେଶ ସହଜରେ ପହଞ୍ଚା ଯାଇପାରିବ । ଏହି ଉପଗ୍ରହରେ ଏକ ଭିନ୍ନ ଧରଣର ହାଇ ରେଜ୍ୟୁଲେସନର କ୍ୟାମେରା ଜିୟୋ ଆଇ ଲଗାଯାଇଛି । ଯାହା ସାହାର୍ଯ୍ୟରେ ଭାରତ ମହାସାଗରେ ଶତ୍ରୁପକ୍ଷଙ୍କ ଉପରେ କଡା ନଜର ରଖାଯାଇପାରିବ । ପ୍ରତି ସାଟେଲାଇଟ ଉତକ୍ଷେପଣରେ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି ।


ଯେଉଁ ରକେଟ ସାହାଯ୍ୟରେ ଜିସ୍ୟାଟ-୨୯କୁ ମହାକାଶକୁ ଉତକ୍ଷେପଣ କରାଯାଇଛି ତାହାକୁ ନିର୍ମାଣ କରିବାକୁ ପ୍ରାୟ ୧୫ ବର୍ଷ ସମୟ ଲାଗିଛି । ଏହି ରକେଟଟି ୫ଟି ବିମାନ ସହ ସମାନ । ୪୩ ମିଟର ଉଚ୍ଚର ଏହି ରକେଟ ୧୩ ମହଲା କୋଠା ଠାରୁ ମଧ୍ୟ ଅଧିକ ଉଚ୍ଚ । କିନ୍ତୁ ସବୁଠୁ ବଡ କଥା ହେଉଛି, ସାଟେଲାଇଟ ପଠାଇବା ପାଇଁ ଭାରତ ବ୍ୟବହାର କରୁଥିବା ସମସ୍ତ ଅପରେସନାଲ ଲଞ୍ଚ ଭେଇକିଲ ମଧ୍ୟରୁ ବାହୁବଳୀ ସବୁଠୁ ଓଜନିଆ । କିନ୍ତୁ ଆକାରରେ ସବୁଠୁ ଛୋଟ ମଧ୍ୟ । ଏହି ରକେଟ ପ୍ରକ୍ଷେପଣ ଉପରେ ସମସ୍ତଙ୍କ ନଜର ରହିଥିଲା, କାରଣ ଏହି ଶକ୍ତିଶାଳୀ ରକେଟ ଦ୍ୱାରା ଭାରତର ମାନବ ମିଶନକୁ କାର‌୍ୟ୍ୟକାରୀ କରାଯିବ । ଅର୍ଥାତ ଏହି ଜିଏସଏଲଭି-ମାକ-୩ ମାଧ୍ୟମରେ ହିଁ ଭାରତ ୨୦୨୨ରେ ମହାକାଶକୁ ମଣିଷ ପଠାଇବ ।