ପ୍ରିପେଡ ଅଟୋ ନମିଳିବାରୁ ଡାକ୍ତରଙ୍କ ଜୀବନ ଯିବା ଘଟଣା । ୬ଜଣଙ୍କୁ ଜିଆରପିର ପଚରାଉଚରା  ।  ମୃତକଙ୍କ ପରିବାରକୁ ଭେଟିବ ଜିଆରପି । 

17

କନକ ବ୍ୟୁରୋ : ପ୍ରିପେଡ ଅଟୋ ନମିଳିବାରୁ ଡାକ୍ତରଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛି ଜିଆରପି ପୁଲିସ  । ୬ଜଣଙ୍କୁ ପଚରାଉଚରା କରିଛି ପୁଲିସ  । ୪ଜଣ ଅଟୋ ଚାଳକ ଓ ୨ଜଣ କନଷ୍ଟେବଳଙ୍କୁ ପଚରାଉଚରା କରିଛି ଜିଆରପି  ।  ଆଜି ମୃତକଙ୍କ ପରିବାରକୁ ଭେଟିବ ଜିଆରପି  । ଏନେଇ ଜିଆରପି ଥାନାଧିକାରୀ ବିଜୟକୃଷ୍ଣ ମହାପାତ୍ର ସୂଚନା ଦେଇଛନ୍ତି  । ତଦନ୍ତ ପରେ ଏସପିଙ୍କୁ ରିପୋର୍ଟ ହସ୍ତାନ୍ତର କରାଯିବ  ।

ଗତକାଲି ବିଳମ୍ବିତ ରାତିରେ ଅଚାନକ ସ୍ୱାମୀ ଅନୁଭବ କରିଥିଲେ ଛାତି ଯନ୍ତ୍ରଣା । ଡାକ୍ତରଖାନାକୁ ଆଣିବା ପାଇଁ ଗାଡ଼ିମଟର ନଥିବାରୁ କଟକ ଷ୍ଟେସନ ଅଂଚଳର ପ୍ରିପେଡ କାଉଂଟରକୁ ଧାଇଁ ଆସିଥିଲେ ଡାକ୍ତର ହୃଷିକେଶ ଓଝାଙ୍କ ପତ୍ନୀ । ହେଲେ ବ୍ୟସ୍ତତା ଏବଂ ମାନସିକ ଚାପ ଭିତରେ ପର୍ସ ଆଣିବା ପାଇଁ ଭୁଲି ଯାଇଥିଲେ । ଆଉ ଟିକେଟ କଲା ବେଳକୁ ଜାଣିଲେ, ଆଗ ଭଡ଼ା ନଦେଲେ ଗାଡ଼ି ଗଡ଼ିବନି । ଯେତେ ନେହୁରା ହେଲେ ବି ଦାୟିତ୍ୱରେ ଥିବାରେ ଥିବା ଜିଆରପି କନଷ୍ଟେବଳ କିଛି ବି ଶୁଣିନଥିଲେ । ଆଉ ଏସବୁ ଭିତରେ ସ୍ୱାମୀଙ୍କୁ ଡାକ୍ତରଖାନା ଆଣିବାର ବେଶ ବିଳମ୍ବ ହୋଇସାରିଥିଲା ଏବଂ ରାସ୍ତାରେ ଆଖି ବୁଜିଦେଇଥିଲେ ହୃଷିକେଶ।

ଅଟୋ ଦେବା ପାଇଁ ନିଜେ ପିନ୍ଧିଥିବା ସୁନା ଚୁଡ଼ି ଦେଲା ପରେ ବି କନଷ୍ଟେବଳ ଜଣକ ନିଜ ଜିଦରେ ଅଟଳ ରହିଥିଲେ । ଶେଷରେ ପାଖରେ ଥିବା ଜଣେ ଅଟୋଚାଳକ ଟଙ୍କା ଦେବାରୁ ଅଟୋ ନେଇଥିଲେ । ହେଲେ ସେତେବେଳକୁ ବହୁତ ଡେରି ହୋଇସାରିଥିଲା । ସଂପୃକ୍ତ କନଷ୍ଟେବଲ ବିରୋଧରେ ଏବେ ଏତଲା ଦିଆଯାଇଛି । କଡ଼ାକାଡ଼ି ନିୟମ ପାଳନ କରିବାକୁ ଯାଇ କନଷ୍ଟେବଲ ଜଣକ ଭୁଲିଗଲେ ମଣିଷପଣିଆ । ଯେଉଁଥିପାଇଁ ମାତ୍ର ୬୫ ଟଙ୍କା ଭଡ଼ା ପାଇଁ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ ।