ନବରଙ୍ଗପୁର ଚନ୍ଦାହାଣ୍ଡିରେ ଅଭାବନୀୟ ଘଟଣା ! ଗୋଷ୍ଠୀ ସଂଘର୍ଷ ପରେ ଥାନାରେ ଆଶ୍ରୟ ନେଲେ ୮୦ ଗ୍ରାମବାସୀ

42

କନକ ବ୍ୟୁରୋ: ନବରଙ୍ଗପୁର ଚନ୍ଦାହାଣ୍ଡିରେ ଅଭାବନୀୟ ଘଟଣା । ଗୋଷ୍ଠୀସଂଘର୍ଷ ପରେ ଥାନାରେ ଆଶ୍ରୟ ନେଲେ ଆକ୍ରମଣର ଶିକାର ହୋଇଥିବା ଲୋକେ । ରାଜକୋଟ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଛି ଏହି ସଂଘର୍ଷ । ଗୋଟିଏ ସାହିର କିଛି ପିଲା ଏକ ପର୍ବରେ ବାଜା ବଜାଉଥିବା ବେଳେ ଅନ୍ୟ ଏକ ସାହିର ଲୋକେ ଏହାକୁ ବାରଣ କରିଥିଲେ ।

କିନ୍ତୁ ଏହାକୁ ନମାନିବାରୁ ମାରପିଟ୍ କରିବା ସହ ଅନ୍ୟ ଗୋଷ୍ଠୀର ଲୋକେ ସେମାନଙ୍କ ଘର ଓ ଆସବାବପତ୍ର ଭାଙ୍ଗି ଦେଇଛନ୍ତି । ଏବଂ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଛନ୍ତି । ଘଟଣାସ୍ଥଳରେ ଚନ୍ଦାହାଣ୍ଡି ପୋଲିସ ପହଂଚି ଆକ୍ରମଣର ଶିକାର ହୋଇଥିବା ଗୋଷ୍ଠୀର ଲୋକଙ୍କୁ ଆଣି ଥାନାରେ ଆଶ୍ରୟ ଦେଇଛନ୍ତି । ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ପ୍ରାୟ ୮୦ ଜଣ ଚନ୍ଦାହାଣ୍ଡି ଥାନାରେ ଆଶ୍ରୟ ନେଇଛନ୍ତି । ୩ ବର୍ଷ ତଳେ ଗୋଟିଏ ଗୋଷ୍ଠୀର ଝିଅ ଅନ୍ୟ ଗୋଷ୍ଠୀରେ ପ୍ରେମ ବିବାହ କରିବାକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା ।

ପୂର୍ବ ଆକ୍ରୋଶକୁ ନେଇ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଉପଜିଲ୍ଲାପାଳ, ଉମରକୋଟ ଏସଡିପିଓ ଓ ଚନ୍ଦାହାଣ୍ଡି ତହସିଲଦାର ଆଲୋଚନା ଜାରି ରଖିଛନ୍ତି । ତେବେ ଆକ୍ରମଣକାରୀଙ୍କୁ ଗିରଫ ନକଲା ପର୍ଯ୍ୟନ୍ତ ଘରକୁ ଫେରିବେନି ବୋଲି ଜିଦ୍ରେ ଅଟଳ ରହିଛନ୍ତି ଆକ୍ରମଣର ଶିକାର ହୋଇଥିବା ଲୋକେ ।