ଦୀପାବଳୀ ରାତିରେ ରାଜଧାନୀରେ ଭୟଙ୍କର ହତ୍ୟାକାଣ୍ଡ । ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟାକଲେ ୧୫ରୁ ୨୦ ଦୁର୍ବୃତ୍ତ । ଥାନା ନିକଟରେ ଓ ରାସ୍ତା ଉପରେ ହେଲା ଆକ୍ରମଣ ।

1,063

କନକ ବ୍ୟୁରୋ : ଦୀପାବଳିର ଅନ୍ଧାରରାତିରେ ଆଲୋକର ଉତ୍ସବ ପାଳନ ହେଉଥିବା ବେଳେ ଭୁବନେଶ୍ୱର କପିଳପ୍ରସାଦ ଅଂଚଳରେ ଘଟୁଥିଲା ଏକ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକକୁ ଗୋଡାଇ ଗୋଡାଇ ଆକ୍ରମଣ କରୁଥିଲେ ୧୫ରୁ ୨୦ ଯୁବକ । ଆଉ ଏହି ଆକ୍ରମଣରେ ଅମରେଶ ନାୟକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଲା । ରାସ୍ତା ମଝିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ କମିଶନରେଟ ପୋଲିସର ପାରିବା ପଣିଆ ଉପରେ ଲଗାଇଛି ପ୍ରଶ୍ନଚିହ୍ନ । ଏବେ ବି ହତ୍ୟାକାରୀର ପତାମିଳି ନାହିଁ ।

ସ୍ଥାନ – କପିଳପ୍ରସାଦ ଏକ୍ରାମ ଛକ ସାମ୍ନା । ସମୟ- ରାତ୍ରୀ ପ୍ରାୟ ୧୨ଟା । ଆଗେ ଆଗେ ଦୌଡୁଥାନ୍ତି ଅମରେଶ ନାୟକ ଆଉ ପଛେ ପଛେ ଗୋଡାଉଥାନ୍ତି ୧୫ରୁ ୨୦ ଜଣ ପିଲା । ରାଜଧାନୀର ଦୀପାବଳି ରାତିରେ ଯେତେବେଳେ ବାଣ ଫୁଟୁଥାଏ ଓ ଆଲୋକର ପର୍ବକୁ ଲୋକେ ଜୋର ସୋରରେ ମନାଉଥାନ୍ତି । ସେତେବେଳେ କପିଳପ୍ରସାଦର ଏକ୍ରାମ ଛକ ସାମ୍ନାରେ ଏଭଳି ଭୟଙ୍କର ଘଟଣା ଘଟୁଥାଏ । ବେଶ କିଛି ସମୟ ଗୋଡାଇବା ପରେ ଶେଷରେ ହାତ ପାହାନ୍ତାକୁ ଆସିଗଲେ ଅମରେଶ, ଆଉ । ବଲ୍ହା, କାଠଫାଳିଆ ଓ ଧାରୁଆ ଅସ୍ତରେ ହାଣି ପକାଇଲେ ଦୁବୁର୍ତ । ଦୀପାବଳୀରେ ଚାରିଆଡେ ଆଲୋକର ପର୍ବ ମନାଯାଉଥିବା ବେଳେ ଏପଟେ ଘଟଣା ସ୍ଥଳରେ ହିଁ ଅମରେଶଙ୍କ ଜୀବନ ଦୀପ ଲିଭିଗଲା ।

ନିଜ ସାଙ୍ଗମାନଙ୍କ ସହ ମିଶି ଦୀପାବଳୀରେ ଭୋଜି କରୁଥିଲେ ଅମରେଶ । ଏମାନେ ରାସ୍ତା କଡରେ ଭୋଜି କରି ବାଣ ଫୁଟାଉଥିବା ବେଳେ ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଯୁବକଙ୍କ ଉପରେ ବାଣ ଛିଟିକି ପଡିଥିଲା । ଆଉ ଏଥିରୁ ଆରମ୍ଭ ହୋଇଥିଲା ବିବାଦ । ନିଜ ଦଳବଳ ସହ ଆସି ସେହି ଯୁବକମାନେ ଅମେରଶକୁ ଆକ୍ରମଣ କରିଦେଲେ ।

ଏମବିଏ କରିବା ପରେ ଭୁବନେଶ୍ୱରରେ ନିଯୁକ୍ତି ସମ୍ପର୍କିତ ଏକ କନସଲ୍ଟଟାନସି ର୍ଫାମ ଖୋଲିଥିଲେ ଅମରେଶ । ଅନେକ ଦିନ ଆଗରୁ ମଧ୍ୟ ସେହି ଗୋଷ୍ଠି ସହ ଅମରେଶଙ୍କ ବିବାଦ ହୋଇଥିଲା । ଗାଡି ଧକ୍କାକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଧୀରେ ଧୀରେ କୁହୁଳି ଚାଲିଥିଲା । ଆଉ ଦୀପାବଳୀ ରାତିରେ ଏହି ବିବାଦ ଭୟଙ୍କର ରୂପ ନେଇଥିଲା ।

ଆଶ୍ଚର୍ଯ୍ୟର କଥା ହେଉଛି ଏୟାରଫିଲ୍ଡ ଥାନାର ଅତି ନିକଟରେ ଓ ମୁଖ୍ୟ ରାସ୍ତାରେ ଘଟିଛି ଏହି ହତ୍ୟାକାଣ୍ଡ । ଗୋଡାଇ ଗୋଡାଇ ମାରିବା ପରେ ବେଶ ଆରାମରେ ଫେରାର ହୋଇଯାଇଛନ୍ତି ଦୁର୍ବୁତ । ଜଣେ ପୂର୍ବତନ କର୍ପୋରେଟରଙ୍କୁ ଥାନାରେ ଅଟକ ରଖିବା ପରେ ପୁଣି ଛାଡିଦେଇଥିଲା ପୋଲିସ । ଯାହାକୁ ନେଇ ଥାନାରେ ଉତ୍ତେଜନାମୂଳକ ପରିସ୍ଥିତି ସୂଷ୍ଟି ହୋଇଥିଲା । ରାଜଧାନୀର ରାଜରାସ୍ତାରେ ଏଭଳି ଏକ ଘଟଣା କମିଶନରେଟ ପୋଲିସର ପାରିବାପଣିଆ ଉପରେ ବଡ ପ୍ରଶ୍ନବାଚୀ ଛିଡା କରିଦେଇଛି ।