ନବରଙ୍ଗପୁର ତେଲେଗାଁରେ ଜଳିଲା ଅସନ୍ତୋଷର ନିଅାଁ

24

ନବରଙ୍ଗପୁର : ନବରଙ୍ଗପୁର ତେଲେଗାଁରେ ଜଳିଲା ଅସନ୍ତୋଷର ନିଆଁ। ଜଙ୍ଗଲ ଜମିକୁ ନେଇ ବିବାଦ ପରେ ଗାଁରେ ଗୋଷ୍ଠୀ ସଂଘର୍ଷ। ଆଉ ତାର ଫଳ ସ୍ୱରୂପ ଜଣଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଗୋଟିଏ ଗୋଷ୍ଠୀ । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଜଣଙ୍କୁ ହତ୍ୟା କରିଥିଲେ ବଳିରାମ । ଆଉ ଏଥିରେ ଉତ୍ୟକ୍ତ ହୋଇ ତାଙ୍କ ବିରୋଧୀ ଗୋଷ୍ଠୀ ଗତକାଲି ରାତିରେ ତାଙ୍କ ଘରେ ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।  ତେବେ ବଳିରାମ ଏଥରୁ ବର୍ତି ଯିବା ପରେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ବନ ବିଭାଗ ଓ ଜଙ୍ଗଲ ସୁରକ୍ଷା କମିଟି ବଳିରାମ ହରିଜନଙ୍କୁ କିଛି ଜଙ୍ଗଲ ଜମି ଦେଇଥିଲେ । କିନ୍ତୁ ବଳିରାମ ଗାଁ କମିଟି ଜାଗାରୁ କିଛି କବଜା କରିଥିବା ଅଭିଯୋଗ ହୋଇଥିଲା । ଏହି ଜାଗାରେ ଗାଁ କମିଟି ତରଫରୁ ଗଛ ଲଗାଯାଇଥିବାବେଳେ ଏହାକୁ ଓପାଡି ଫିଙ୍ଗି ଦେଇଥିଲେ ବଳିରାମ । ଆଉ ଏହାର ପ୍ରତିବାଦ କରି ଗତକାଲି ଫଗୁନୁ ଭତ୍ରା ଓ ଗୁରୁବାରୁ ଭତ୍ରା ତାଙ୍କ ଘରକୁ ଯାଇ ବଳିରାମଙ୍କୁ ଡାକିଥିବାବେଳେ ପ୍ରଥମେ ଫଗୁନୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ସେ । ଫଳରେ ଫଗୁନୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହିପରି ଗୁରୁବାରୁଙ୍କୁ ମଧ୍ୟ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଫଗୁନୁ ଓ ଗୁରୁବାରୁଙ୍କ ସମର୍ଥକ ବଳିରାମଙ୍କ ଘରେ ନିଆଁ ଲଗାଇ ଦେବା ସହ ତାଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ଗୁରୁବାରୁଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଘଟଣାକୁ ନେଇ ଗାଁରେ ଉତେଜନା ଲାଗି ରହିଥିବା ବେଳେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଘଟଣା ପରେ ଗାଁରେ ଉତେଜନା ଲାଗି ରହିଥିବାରୁ ବାହାର ଜିଲ୍ଲାରୁ ପୁଲିସ ବଳ ମଗାଯାଇଥିବା ଜଣାପଡିଛି ।

ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନଥିବାବେଳେ, ସ୍ଥିତି ଅନୁଧ୍ୟାନ କରିଛନ୍ତି ନବରଙ୍ଗପୁର ଏସପି ସୁଧାଂଶୁ ଶେଖର ମିଶ୍ର । ଜିଲ୍ଲାରେ ଜଙ୍ଗଲ ଜମିକୁ ନେଇ ଆଦିବାସୀ ଓ ଅଣ ଆଦିବାସୀଙ୍କ ଭିତରେ ବିବାଦ ଲାଗିରହିଥିବା ସେ କହିଛନ୍ତି । ସେହିକାରଣରୁ ତେଲେଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଲା । ପରିସ୍ଥିତି ପୁଲିସ ନିୟନ୍ତ୍ରଣରେ ଥିବା ଏସପି କହିଛନ୍ତି । ଅଧିକ ତଥ୍ୟ ଏହି ଭିଡିଓରେ :