ଔଦ୍ଧତ୍ୟର ସବୁ ସୀମା ଟପିଗଲେ ଜିଲ୍ଲା ପରିଷଦଙ୍କ ପୁଅ…ସରକାରୀ ଡାଲି ଯୋଗାଣରେ ଅନୀୟମିତତା ଅଭିଯୋଗ କରିବାରୁ ଯୁବକଙ୍କୁ ଗୋଡାଇ ଗୋଡାଇ ମାରିଲେ ମାଡ

ଏପଟେ ଢେଙ୍କନାଳରେ ସଂଗରୋଧ କେନ୍ଦ୍ରରେ ସରପଂଚଙ୍କୁ ଆକ୍ରମଣ

812

କନକ ବ୍ୟୁରୋ: ସବୁ ଔଦ୍ଧତ୍ୟର ସୀମା ଟପିଗଲେ ଜିଲ୍ଲା ପରିଷଦଙ୍କ ପୁଅ । ଲୋକଙ୍କ ସାମ୍ନାରେ ଜଣେ ଅଭିଯୋଗକାରୀଙ୍କୁ ଗୋଡାଇ ଗୋଡାଇ ମାଡ ମାରିଲେ ଜିଲ୍ଲା ପରିଷଦଙ୍କ ପୁଅ ଓ ତାଙ୍କ ସାଙ୍ଗମାନେ । କେବଳ ଏତିକି ନୁହେଁ ଅସଭ୍ୟ ଭାଷାରେ ଗାଲି ଗୁଲଜ ମଧ୍ୟ କରୁଛନ୍ତି । ଯେଉଁ ଭାଷାକୁ ଆମେ ଆପଣମାନଙ୍କୁ ଶୁଣାଇ ପାରିବୁନାହିଁ । ପୁରୀ ଜିଲ୍ଲା ପିଲିଲି ୨୩ ନମ୍ବର ଜୋନ୍ ଦୁର୍ଗା ଦାସ ପୁର ପଂଚାୟତରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ଦୁର୍ଗାଦାସପୁର ପଂଚାୟତ ଅଫିସରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଡାଲି ବଂଟନ କରାଯାଉଛି । ଡାଲି ବଂଟନରେ ଅନିୟମିତତା ଅଭିଯୋଗ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ମାଡ ଖାଉଥିବା ଏହି ବ୍ୟକ୍ତି ଜଣଙ୍କ ।

ଆଉ ଏହି ଘଟଣାକୁ ନେଇ ୨୩ ନମ୍ବର ଜୋନ ଜିଲ୍ଲା ପରିଷଦ ଗୀତାଂଜଳୀ ଦାଶଙ୍କ ପୁଅ ବିଶ୍ୱଜିତ୍ ଦାସ ଏବଂ ଅଭିଯୋଗକାରୀ ଦୁର୍ଯ୍ୟୋଧନ ଜେନାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଘଟଣା ପିପିଲି ଥାନାରେ ପହଂଥିଲା । ଥାନା ଅଧିକାରୀଙ୍କ ସହ ଆଲୋଚନା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା । ହେଲେ ପରେ ପୁଣି ସେହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହେବାରୁ ବିଶ୍ୱଜିତ୍ ରାଗି ଯାଇ ଦୁର୍ଯ୍ୟୋଧନଙ୍କୁ ମାଡ ମାରିଥିଲେ । ବିଶ୍ୱଜିତଙ୍କ ସାଙ୍ଗମାନେ ମଧ୍ୟ ଦୁର୍ଯ୍ୟୋଧନଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି । ଏବେ ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦୁର୍ଯ୍ୟୋଧନ ଏନେଇ ପିପିଲି ଥାନାରେ ଅଭିଯୋଗ କରିଛନ୍ତି ।

ସଂଗରୋଧ କେନ୍ଦ୍ରରେ ସରପଂଚଙ୍କୁ ସଙ୍ଘବଦ୍ଧ ଆକ୍ରମଣ । ଢେଙ୍କନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଗିରିଧର ପ୍ରସାଦ ପଂଚାୟତ ଥିବା ସଙ୍ଗରୋଧ କେନ୍ଦ୍ରରେ ଏଭଳି ଘଟଣା ଘଟିଛି । ସଙ୍ଗରୋଧ ଗୃହରେ ପ୍ରବାସୀ ରହିବା ଘଟଣାକୁ ନେଇ ଖଣ୍ଡତରି ଗାଁର ୪ଜଣ ଯୁବକ ଆସି ଏଭଳି ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବିକ, ଖଣ୍ଡତିରି ଗାଁରେ ହୋଇଥିବା ସଙ୍ଘରୋଧ କେନ୍ଦ୍ରରେ ତାମିଲନାଡୁ ରୁ ଆସି ୨୩ ଜଣ ପ୍ରବାସୀ ଏଠାରେ ରହିଛନ୍ତି । ଏହି ଘଟଣାକୁ ନେଇ ଗାଁର ୪ଜଣ ଯୁବକ ମାରାଣାସ୍ତ୍ର ନେଇ ସଙ୍ଗରୋଧ ଗୃହକୁ ପଶିଆସି ପ୍ରଥମେ ଧମକ, ଚମକ କରିଥିଲେ । କାହିଁକି ଆମ ଗାଁରେ ବାହାର ଲୋକଙ୍କୁ ରଖାହୋଇଛି କହି ସେମାନେ ଆକ୍ରମଣ କରିଥିଲେ । ଅଭିଯୋଗ ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଆଉ ୩ଜଣ ଫେରାର ହୋଇଯାଇଛନ୍ତି ।