ଆଖି କହୁଛି ମାଓ ହିଂସା଼ର କରୁଣ କାହାଣୀ । ଲାଲଗଡ଼ରେ ପଡ଼ିଥିଲା କେମିତି ନିରୀହ ଲହୁର ଛିଟା

34

କନକ ବ୍ୟୁରୋ: ଲାଲବାହିନୀ ସହିଦ ସପ୍ତାହ ପାଳନ ଜାରି ରଖିଛି । ମୃତ ସାଥୀଙ୍କ ଉଦେଶ୍ୟରେ ମାଓବାଦୀ ସହିଦ ସପ୍ତାହ ପାଳନ କରୁଛନ୍ତି । ହେଲେ ରକ୍ତମୁଖା ମାଓବାଦୀଙ୍କ ଗୁଳିରେ ଉଜୁଡି ଯାଇଥିବା ପରିବାରର ସଦସ୍ୟ ଆଜି ବି ପ୍ରଶ୍ନ କରୁଛନ୍ତି ନିରିହ ମଣିଷଙ୍କୁ ମାରି କଣ ପାଉଛି ଲାଲ ସଂଗଠନ । ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଚାଲିଥିଲା ବେଳେ କୋରାପୁଟ ଜିଲ୍ଲାର ଲାଲଗଡ ଭାବେ ପରିଚିତ ଅଂଚଳର ସ୍ଥିତି ପରଖିଛି କନକ ନ୍ୟୁଜ ।

ସ୍ୱାମୀ ବାପି ସାମନ୍ତଙ୍କ ଯିବା ପରେ ଉଜୁଡ଼ି ଯାଇଛି ସବିତାଙ୍କ ସୁନାର ସଂସାର । ମାଓହିଂସା ମଥାରୁ ପୋଛି ଦେଇଛି ସିନ୍ଦୂର । ସବିତାଙ୍କ ମନରେ ଗୋଟିଏ ପ୍ରଶ୍ନ, ପେଶାରେ ବ୍ୟବସାୟୀ ଥିବା ତାଙ୍କ ସ୍ୱାମୀ ବାପିଙ୍କୁ ମାରି କ’ଣ ପାଇଲା ଲାଲବାହିନୀ ? ୨୦୧୬ରେ ଦଣ୍ଡାବାଡ଼ିରେ ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ବାପି । ଆଉ ଜୀବନସାଥୀଙ୍କୁ ହରାଇବା ପରେ ସେବେଠାରୁ ଗାଁ ଛାଡ଼ି ଅନ୍ୟତ୍ର ସ୍ଥାନରେ ରହୁଛନ୍ତି ସବିତା ସାମନ୍ତ ।

ସ୍ଥିତି ପରଖିବା ପାଇଁ ଯେତେବେଳେ ଦଣ୍ଡାବାଡ଼ିର ଏହି ଦୁର୍ଗମ ଅଂଚଳରେ କନକ ନ୍ୟୁଜ୍ ପାଦ ରଖିଥିଲା ଭୟର ବାତାବରଣ ଲୋକଙ୍କ ଚେହେରାରୁ ସ୍ପଷ୍ଟ ନଜର ଆସିଥିଲା । ବୈପାରିଗୁଡ଼ା ବ୍ଳକର ଦଣ୍ଡାବାଡ଼ିରେ ଆଜି ବି ଲାଲବାହିନୀର ରାଜୁତି ଚାଲିଥିବା ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଲାଲବାହିନୀର ଆତଙ୍କ ଯୋଗୁ ବିକାଶ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ଭିତିଭୂମି ଅଭାବରୁ ସ୍ପଷ୍ଟ ବାରି ହୋଇପଡୁଥିଲା ।

୨୦୧୬ ମାଓ ଆକ୍ରମଣ ପରେ ଗାଁରେ ଏକ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା ହୋଇଛି । ମାଓ ଭୟ ମନରୁ ପୋଛି ବିକାଶ ରାସ୍ତାରେ ଆଗକୁ ଯିବାପାଇଁ ଅଂଟା ଭିଡ଼ିଛନ୍ତି ଗ୍ରାମବାସୀ । ସେପଟେ ସହିଦ୍ ସପ୍ତାହ ଚାଲିଥିବା କାରଣରୁ ଭୟ ଆଉ ଆତଙ୍କର ଖେଳ ଜାରି ରଖିବାକୁ ୫ଜଣଙ୍କ ନାଁରେ ପୋଷ୍ଟର ମାରିଛି ଲାଲବାହିନୀ ।