ନାହିଁ ନାହିଁରେ ଚାଲିଛି ଜିଲ୍ଲାର ବିକାଶ । ମାଲକାନଗିରିକୁ କେନ୍ଦ୍ରର ପଛୁଆ ଜିଲ୍ଲା ଘୋଷଣାକୁ ନେଇ ବିଜେଡିର ପ୍ରଶ୍ନ ବେଳେ ସାମ୍ନାକୁ ଆସିଲାର ଅସଲ ଚିତ୍ର

33

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନ୍ୟୁ ଇଣ୍ଡିଆ ମିଶନ ୨୦୨୨ ରେ ଆଦିବାସୀଙ୍କ ବିକାଶକୁ ନେଇ ଏବେ ରାଜନୈତିକ ମହଲରେ ଛକାପଂଝା ଆରମ୍ଭ ହୋଇଯାଇଛି । ଏହି ମିଶନରେ ଦେଶର ୧୧୫ଟି ଅନୁନ୍ନତ ଜିଲ୍ଲାକୁ ଚୟନ କରିଛି କେନ୍ଦ୍ର ନିତି ଆୟୋଗ । ଏହାରି ଭିତରେ ଓଡିଶାର ମାଲକାନଗିରି ସମେତ ୮ ଟି ଜିଲ୍ଲାôକୁ ପଛୁଆ ଭାବେ ଦର୍ଶାଯାଇଛି । ଓଡିଶାର ମତାମତ ବିନା କେଉଁ ଆଧାରରେ ଏହି ସବୁ ଜିଲ୍ଲାକୁ ପଛୁଆ ତାଲିକାରେ ରଖାଗଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ସରକାର । ନିତି ଆୟୋଗଙ୍କ ଏହି ତାଲିକା ପରେ ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ବିକାଶର ଅସଲ ଚିତ୍ର । ରାଜ୍ୟ ସରକାର ବିଭିନ୍ନ ସଚିବ ସ୍ତରର ଅଧିକାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ସଚିବଙ୍କ ଅନୁଧ୍ୟାନ ରିପୋର୍ଟ ହିଁ ବୟାନ କରୁଛି କେତେ ବିକଶିତ ମାଲକାନଗିରି ।

 

 

ମାଲାକନଗିରି ସମେତ ରାଜ୍ୟର କେ.ବି.କେ ଅନ୍ତର୍ଭୁକ୍ତ ଜିଲ୍ଲାର ବିକାଶ ପାଇଁ ନବୀନ ସରକାର ସଚିବ ପହ୍ୟାର ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି । ପ୍ରଥମେ ସଚିବ ୟୁ. ଏନ. ବେହେରା, ପରେ ଆର୍. ବାଲକ୍ରିଷ୍ଣନ ଆଉ ଏବେ ମାଲକାନଗିରିର ଦାୟିତ୍ୱରେ ଅଛନ୍ତି ବିଶାଳ ଗଗନ । ୨ ବର୍ଷ ହେଲା ଗାଁ ଗାଁ ବୁଲି ଜିଲ୍ଲାର ସମସ୍ତ ଉନ୍ନୟନ ମୁଳକ କାର୍ଯ୍ୟକୁ ତଦାରଖ କରୁଛନ୍ତି ସରକାର । ତେବେ ସେହି ସଚିବମାନଙ୍କ ରିପୋର୍ଟ ହିଁ ପଛୁଆ ଜିଲ୍ଲାର ବିକାଶର ଅସଲ ଚିତ୍ରକୁ ସାମ୍ନାକୁ ଆଣିଛନ୍ତି । ଯାହାର ଏକ ରିପୋର୍ଟ ଆମ ହାତରେ ଲାଗିଛି ।

• ମାଲକାନଗିରିରେ ଖାଲି ପଡିଛି ସି.ଡି.ଏମ.ଓ ସମେତ ୨ଟି ଏଡି.ଏମ.ଓ ଏବଂ ମୋଟ ୫୬ଟି ଡାକ୍ତରୀ ପଦବୀ

• ସେହିପରି କୃଷି ଉପନିର୍ଦେଶକ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସଂସ୍କୃତି ଅଧିକାରୀ, ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା ପଂଚାୟତ ଅଧିକାରୀ ପଦ ବି ଖାଲି ପଡିଛି ।

• ଅନେକ ସହକାରୀ ନିର୍ବାହୀ ଯନ୍ତ୍ରୀ, ୨ଟି ତହସିଲଦାର, ୭ ଟି ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସମେତ ଜିଲ୍ଲାରେ ୫୦ରୁ ଅଧିକ ପଦବୀରେ ନାହାନ୍ତି ଅଧିକାରୀ ।

 

 

ସେହିପରି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଧିମେଇ ଯାଇଥିବା ସରକାରଙ୍କୁ ଜଣାଇଛନ୍ତି ସଚିବ ।

• ଏଲ.ଡବ୍ଲୁ.ଇ ଅନ୍ତର୍ଗତ ଗୋବିନ୍ଦପାଲି–ମହୁପଦର, ଚିତ୍ରକୋଣ୍ଡା-ଯାନବାଇ ରାସ୍ତା କାମ ମନ୍ଥର ଗତିରେ ଚାଲିଛି ।

• ଶିଖପାଲି–ପୋଡିଆ, କାଲିମେଳା-ଭେଜାଙ୍ଗିଓାଡା-ବାଲିମେଳା, ଗୋବିନ୍ଦପାଲି–ବଡଡୁରାଲ ରାସ୍ତା କାମ ଆଦୌ ଆରମ୍ଭ ହୋଇନଥିବା ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ସଚିବ ଆର.ବାଲକ୍ରିଷ୍ଣନ ।

• ଜିଲ୍ଲାର ୮୦ ଭାଗ ଅଂଚଳରେ ମୋବାଇଲ ସେବା ନାହିଁ

• ୧୧୧ ପଂଚାୟତରୁ ୧୦୦ରୁ ଅଧିକ ପଂଚାୟତରେ ପହଁଚି ପାରିନି ବ୍ୟାଙ୍କ ସେବା ।

• ବିଦ୍ୟୁତିକରଣ  କ୍ଷେତ୍ରରେ ଏବେ ବି ଅନ୍ଧାରରେ ରହିଛି ଅନେକ ଗାଁ  ।

• ଅନେକ ପାୱାର ଗ୍ରୀଡ୍ କାମ ଅଟକି ରହିଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ସଚିବ ।

 

 

ତେବେ ମାଓ ଅଧିଷୂତ ଜିଲ୍ଲାରେ ସଚିବଙ୍କ ଗସ୍ତର ବିଶେଷ କିଛି ପ୍ରଭାବ ପଡିନଥିବା କହିଛନ୍ତି ବୁଦ୍ଧିଜୀବୀ । ସେପଟେ ସଚିବଙ୍କ ଗସ୍ତ ପରେ ଜିଲ୍ଲାର ବିକାଶ ଧାରା ତ୍ୱରାନ୍ୱିତ ହୋଇଛି । ଗୁରୁପ୍ରୀୟା ସେତୁ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଁଚି ଥିବା ବେଳେ ଜିଲ୍ଲାରେ ବ୍ୟାଙ୍କ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଏଲ.ଡବ୍ଲୁ.ଇ ଯୋଜନାରେ ୨୪ଟି ନୂତନ ଟେଲିଫୋନ ଟାୱାର ନିର୍ମାଣ ହୋଇଛି । ୯ଟି ବେଲି ବ୍ରିଜ ସମେତ ଗ୍ରାମାଂଚଳ ରାସ୍ତା ନେଟୱାର୍କିଂ ସଫଳ ହୋଇଥିବା କହିଛନ୍ତି ପ୍ରଶାସନିକ ଅଧିକାରୀ ।