ପ୍ରେମିକାର ଅଭିଯୋଗ ପରେ ଚଉଠି ଦିନ ଥାନାରେ ବର ଅଟକ : ୨ବର୍ଷ ଧରି ମହିଳାଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ଜଗତସିଂହପୁରର ରବୀନ୍ଦ୍ର

43

କନକ ବ୍ୟୁରୋ : ବିବାହର ଚତୁର୍ଥୀ ଦିନ ବରକୁ ଧରି ଆଣିଲା ପୋଲିସ । ପ୍ରେମିକାଙ୍କ ଅଭିଯୋଗ ପରେ ଏଭଳି ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଧୁସୁଦନପୁର ଶାସନ ଗାଁରେ । ଭୁବନେଶ୍ୱରରେ ଏକ ସପିଂ ମଲରେ ଚାକିରୀ କରୁଥିବା ଯୁବତୀଙ୍କ ସହ ରବୀନ୍ଦ୍ର ଦୀର୍ଘ ୨ ବର୍ଷ ଧରି ସଂପର୍କ ରଖି ଆସିଥିଲେ ବୋଲି ଯୁବତୀ ଓ ତାଙ୍କ ବାପା ଅଭିଯୋଗ କରିଛନ୍ତି । କିନ୍ତୁ ଗତ ୪ ଦିନ ତଳେ ରବୀନ୍ଦ୍ର ରଘୁନାଥପୁର ଥାନା ଅନ୍ତର୍ଗତ ରେଢୁଆ ଗାଁରେ ବିବାହ କରିଛନ୍ତି ।

ଏହି ଘଟଣା ଜଣା ପଡିବା ପରେ ମହିଳା ଓ ତାଙ୍କର ବାପା ଜଗତସିଂହପୁର ଥାନାରେ ଅଭିଯୋଗ କରିବା ସହ ଉଭୟଙ୍କ ମଧ୍ୟରେ ଥିବା ଅନ୍ତରଂଗ ମୂହୁର୍ତ୍ତର ଫଟୋ ଓ ଭିଡିଓକୁ ଥାନାରେ ଦେଖାଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଯୁବକଙ୍କୁ ତାଙ୍କ ଘରୁ ଆଣି ଅଟକ ରଖିଛି । ଉଭୟ ରବିନ୍ଦ୍ର ଓ ଯୁବତୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ । ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ରବୀନ୍ଦ୍ରଙ୍କୁ ଅଟକ ରଖିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚାର ବିଷୟ ହୋଇଛି । ତେବେ ଉକ୍ତ ଯୁବତୀ ଜଣକ ପ୍ରାୟ ୭ ବର୍ଷ ତଳେ ବିବାହ କରିଥିଲେ ଏବଂ ତାଙ୍କର ୬ ବର୍ଷର ଝିଅ ଟିଏ ଅଛି । ପାରିବାରିକ ଅସନ୍ତୋଷରୁ ସେ ସ୍ୱାମୀଠାରୁ ୩ ବର୍ଷ ତଳୁ ଛାଡପତ୍ର ନେଇ ବାପ ଘରେ ରହୁଛନ୍ତି ।