ବିବାହ ଉତ୍ସବରେ ଖୁସିଥିଲା ପୂରା ପରିବାର, ବାହାବେଦୀ ବଦଳରେ ଶଶ୍ମାନରେ ଜଳିଲା ମଙ୍ଗୁଳା ବରର ଜୁଇ ।

4,217

କନକ ବ୍ୟୁରୋ: ଆଉମାତ୍ର କେଇଘଣ୍ଟା ପରେ ବାହାବେଦୀକୁ ଯାଇଥାନ୍ତା ବର । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଆଉ ବାହାବେଦୀକୁ ଯିବା ପୁର୍ବରୁ ଚାଲିଗଲା ଜୀବନ । ଏପରି ଏକ ଦୁଖଃଦ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମରେ । ବାହାଘର ପାଇଁ ବର ହାତରେ ଲାଗିସାରିଥିଲା ମେହେନ୍ଦି ଓ ପାଦରେ ଅଳତା । ହେଲେ କାଳସାଜିଲା ବାହାଘର ଟେଣ୍ଟ ପାଇଁ ଲଗାଯାଇଥିବା ବିଦ୍ୟୁତ୍ ତାର, ଆଉ ବିଦ୍ୟୁତ ସଂଯୋଗରେ ଆସି ଚାଲିଗଲା ମଙ୍ଗୁଳା ବରର ଜୀବନ ।

କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମର ଯୁବକ ଲୋକନାଥ ମହାନ୍ତ । ଲୋକନାଥଙ୍କ ବାହାଘର କେନ୍ଦୁଝର ସିତାରାମପୁର ସ୍ଥିର ହୋଇଥିଲା । ଆଜି ବାହାଘର ପରେ ସେ ନିଜ ନୂତନ ଜୀବନ ଆରମ୍ଭ କରିଥାନ୍ତେ, ଏଥିପାଇଁ ଘର ସାଜସଜ୍ଜା ମଧ୍ୟ ସରିଥିଲା । ମଙ୍ଗଳ କାର୍ଯ୍ୟସାରି ଲୋକନାଥଙ୍କ ପାଦରେ ଅଳତା ଓ ହାତରେ ମେହେନ୍ଦି ମଧ୍ୟ ଲାଗିସାରିଥିଲା । କିନ୍ତୁ ଆଜି ସକାଳୁ କାଳ ସାଜିଥିଲା ଯମ । ବାହାଘର ଟେଂଟରେ ଲାଗିଥିବା ଏକ ହାଲୋଜେନ ଲାଇଟକୁ ଲିଭାଇବାକୁ ଯାଇ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଲୋକନାଥ । ହଠାତ୍ କିଛି ବୁଝିବା ପୂର୍ବରୁ ବିଦ୍ୟୁତ୍ ଝଟକାରେ ସେଠାରେ ଟଳି ପଡିଥିଲେ ଲୋକନାଥ । ଘରଲୋକ ଦେଖି ତାଙ୍କୁ ସଙ୍ଗେସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘେଷଣା କରିଥିଲେ ।

ସେପଟେ ବାହାଘର ପାଇଁ ଘରେ ଲାଗିଥିଲା ଉତ୍ସବର ମାହୋଲ ଥିଲା ତାହା ଏବେ ଶୋକାକୋଳରେ ପରିଣତ ହୋଇଛି । ଚାରିପେଟ ଶୁନଶାନ୍ ସ୍ତବ୍ଧ ହୋଇ ପଡ଼ିଛନ୍ତି ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ଓ ଗ୍ରାମବାସୀ । କାରଣ ରାତିପାହିଲେ ଘରକୁ ନୁଆବହୁ ଆସିବାକୁ ଥିବାବେଳେ ଏହି ଘଟଣାରେ ସମସ୍ତେ ମୁକ ପାଲଟି ଯାଇଛନ୍ତି । ଖବର ପାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦର ବ୍ୟବସ୍ଥା କରିଥିବା ଜଣାପଡ଼ିଛି ।