ଶ୍ୱଶୁର ଘର ନ ଯାଇ ଥାନାରେ ପହଞ୍ଚିଲା ମଙ୍ଗୁଳା କନ୍ୟା! କୋଟିଏ ଟଙ୍କା ଯୌତୁକ ଦାବିରେ ବେଦିକୁ ଆସିଲାନି ବର, ଭାଙ୍ଗିଗଲା ବାହାଘର

84

କନକ ବ୍ୟୁରୋ : ବିବାହ ମଣ୍ଡପରେ ଅତିଥି ଓ ବନ୍ଧୁ ବାନ୍ଧବ ପହଁଚିଥିଲେ । ବେଦୀ ସଜା ହୋଇଥିଲା । ବୋହୂ ବେଶରେ ସଜାଇ ହୋଇ ବସିଥିଲେ କନ୍ୟା । ଆଉ କିଛି ସମୟ ପରେ ପଡିଥାନ୍ତା ହାତଗଣ୍ଠି । ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ହେଲେ ବେଦୀକୁ ବର ଆସିଲାନି, ଭାଙ୍ଗିଗଲା ବାହାଘର । କାରଣ କୋଟିଏ ଟଙ୍କାର ଯୌତୁକ ଦେଇନପାରିବାରୁ ଫେରିଯାଇଥିଲା ବର । ଅନୁଗୁଳର ଟାମଡା କଲ୍ୟାଣ ମଣ୍ଡପରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା । ଶେଷରେ ବିବାହ ବେଦୀ ଛାଡି ଥାନାରେ ପହଁଚିଥିଲେ ମଙ୍ଗୁଳା କନ୍ୟା ।

Screen shot 2018-01-25 at 9.04.03 PMଥାନାରେ ମଙ୍ଗୁଳା କନ୍ୟା । କିଛି ସମୟ ପରେ ବାହା ହୋଇ ସଂସାର କରିଥାନ୍ତେ, ହେଲେ ନ୍ୟାୟ ପାଇଁ ପହଁଚିଥିଲେ ଥାନାରେ । କାରଣ ବର ଘର କୋଟିଏ ଟଙ୍କାର ଯୌତୁକ ଦାବି କରିଥିଲେ । ଆଉ ୨୦ ଲକ୍ଷ ଟଙ୍କା ଯୌତୁକ ଦେବା ପରେ ଝିଅ ଘର ପକ୍ଷରେ ଅଧିକ ଟଙ୍କା ଦେବା ପାଇଁ କ୍ଷମତା ନଥିଲା । ବାସ ଏତିକିରେ ସରିଯାଇଥିଲା ସବୁ କିଛି । କନ୍ୟା ବେଶରେ ସଜେଇ ହୋଇ ବର ଅପେକ୍ଷାରେ ଥିଲା ମଙ୍ଗୁଳା ଝିଅ । ବରଯାତ୍ରୀ ବି ଆସିଥିଲେ । କିନ୍ତୁ ବିବାହ ବେଦୀକୁ ଆସିନଥିଲା ବର । ଆଉ ଶେଷରେ ଥାନାରେ ପହଚିଂଥିଲେ ବାହା ବେଶରେ ସଜେଇ ହୋଇଥିବା ମଙ୍ଗୁଳା କନ୍ୟା ।

ଢେଙ୍କାନାଳ ଜିଲ୍ଲା ଓଡାପଡା ଅଂଚଳର ସ୍ୱର୍ଣ୍ଣମୟୀଙ୍କର ଅନୁଗୁଳର ଶାନ୍ତି ସ୍ୱରୂପଙ୍କ ସହ ବାହାଘର ଠିକ୍ ହୋଇଥିଲା । ଉଭୟ ସଫଟୱେର ଇଞ୍ଜିନିୟର । ଶାନ୍ତି ସ୍ୱରୂପ ଆମେରିକାରେ କାମ କରୁଥିବା ବେଳେ ସ୍ୱର୍ଣ୍ଣମୟୀ ଚାକିରି କରୁଥିଲେ ବାଙ୍ଗଲୋରରେ । ଗତ ୨୧ ତାରିଖରେ ନିର୍ବନ୍ଧ ପରେ ବୁଧବାର ଦିନ ବାହାଘର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ପ୍ରତିବନ୍ଧକ ସାଜିଲା ବର ଘରର ଯୌତୁକ ଲୋଭ । ବେଦୀକୁ ବର ନଆସିବାରୁ ଭାଙ୍ଗିଯାଇଥିଲା ବାହାଘର । ତେବେ ଶାନ୍ତି ସ୍ୱରୂପ କିମ୍ବା ତାଙ୍କ ପରିବାର ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଝିଅର ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି । ସମ୍ଭ୍ରାନ୍ତ ପରିବାରର ହୋଇ ମଧ୍ୟ ଯୌତୁକ ଲୋଭୀ ଲୋକଙ୍କ ପାଇଁ ଭାଙ୍ଗିଗଲା ବାହାଘର ।