ବାହାଘର ଆଗରୁ ବରଯାତ୍ରୀ ନେଇ ବୁଥକୁ ଆସିଲେ ବର । ରୋଷଣୀ କରି ଆସିଲେ, ସଚେତନ ନାଗରିକତାର ପରିଚୟ ଦେଇ ଭୋଟ୍ ଦେଲେ ।

158

କନକ ବ୍ୟୁରୋ : ଆଜି ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ୧୩, ୭୫୧ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ହୋଇଥିଲା । ତେବେ ଏହି ମତଦାନ ପ୍ରକ୍ରିୟାରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ନିଜ ନିଜର ଅଧିକାର ସାବ୍ୟସ୍ତ କରିଥିବା ବେଳେ ବିବାହ କରିବାକୁ ଯାଉଥିବା ଜଣେ ବର ମତଦାନ କେନ୍ଦ୍ରରେ ପହଞ୍ଚିବା ଚର୍ଚ୍ଚାର ବିଷୟ ହୋଇଛି । ବିବାହ ପାଇଁ ସମୟ ଗଡ଼ିଯାଉଥିବା ବେଳେ ପ୍ରଥମେ ବର ମତଦାନ କେନ୍ଦ୍ରଙ୍କୁ ବରାଯାତ୍ରୀଙ୍କ ସହ ଯାଇ ମତଦାନ କରିବା ପରେ ବିବାହ ମଣ୍ଡପକୁ ଯାଇଥିଲେ । ତାଙ୍କ କହିବା ଅନୁଯାୟୀ, ୫ବର୍ଷ ପରେ ବିବାହ ହୋଇପାରିବ, କିନ୍ତୁ ବର୍ତ୍ତମାନ ଭୋଟ୍ ଦେବା ବେଶୀ ଗୁରୁତ୍ବ ରଖେ । ଶକରପୁର ମତଦାନ କେନ୍ଦ୍ର‌ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ବର ସହ ଆସିଥିବା ବରଯାତ୍ରୀମାନେ ମଧ୍ୟ ମତଦାନ କରିଥିଲେ ବୋଲି ଜଣାପଡ଼ିଛି ।

ଚଳିତ ବର୍ଷ ଦିଲ୍ଲୀରେ କ୍ଷମତା ହାସଲ କରିବା ପାଇଁ ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଅନେକ ରୋଡ୍ ସୋ’ କରିବା ସହ ବଡ଼ ବଡ଼ ରାଲି କରିଥିଲେ । ମତଦାତାଙ୍କୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦେଇ ଏହି ୩ଟି ଦଳ ଭୋଟ୍ ହାତେଇବାକୁ ଚେଷ୍ଟା କରିଥିଲା । ଏବେ ମତଦାନ ସରିଥିବା ବେ‌ଳେ ଜନତା କାହାକୁ ଦିଲ୍ଲୀର ଶାସନ ଭାର ସମ୍ଭାଳିବା ପାଇଁ ବାଛିଛନ୍ତି ତାହା ଫେବୃଆରି ୧୧ରେ ଜଣାପଡ଼ିବ ।