ବିଚ୍ଛିନ୍ନାଞ୍ଚଳରେ ମାଓଭୟ ! ଆଇଆରବି କ୍ୟାମ୍ପକୁ ପବନ ହଂସ ହେଲିକପ୍ଟର ଯୋଗେ ପଠାଗଲା ରାସନ ସାମଗ୍ରୀ

39

କନକ ବ୍ୟୁରୋ : ହେଲିକପ୍ଟରରେ ପଠାଗଲା ରାସନ ସାମଗ୍ରୀ । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଗତକାଲି ପବନ ହଂସ ହେଲିକପ୍ଟରରେ ବିଚ୍ଛିନ୍ନାଞ୍ଚଳରେ ନିୟୋଜିତ ଯବାନଙ୍କ ପାଇଁ ରାସନ ସାମଗ୍ରୀ ପଠାଇଛି ପୋଲିସ । ବିଚ୍ଛିନ୍ନାଞ୍ଚଳର କୁନ୍ତୁରପଦରରେ ଥିବା ଆଇଆରବି କ୍ୟାମ୍ପରେ ହେଲିକପ୍ଟର ଯୋଗେ ପହଂଚିଛି ରାସନ ସାମଗ୍ରୀ । ପବନ ହଂସ ହେଲିକପ୍ଟର କିଛିଦିନ ଧରି ମାଲକାନଗିରିରେ ରହିବ । ଏପରିିକି ଦରକାର ପଡିଲେ ଏହି ହେଲିକପ୍ଟର ମାଓ ଅପରେସନରେ ମଧ୍ୟ ନିୟୋଜିତ କରାଯିବ ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

ସପ୍ତାହେ ପୂର୍ବରୁ ବିଚ୍ଛିନ୍ନାଂଚଳକୁ ବୋଟ୍ ଯୋଗେ ଯବାନଙ୍କ ପାଖକୁ ରାସନ ସାମଗ୍ରୀ ପଠାଇବା ବେଳେ ଲୁଟ କରିଥିଲେ ମାଓବାଦୀ । ମାଲକାନଗିରି ବିଚ୍ଛିନ୍ନାଂଚଳ ଚିତ୍ରକୋଣ୍ଡାରୁ ମୋଟର ବୋଟ ଯୋଗେ ରାସନ ସାମଗ୍ରୀ କୁନ୍ତୁରୁପଦର ଯାଉଥିବାବେଳେ ଏହାକୁ ଲୁଟି ନେଇଥିଲେ ମାଓବାଦୀ । ଚିତ୍ରକୋଣ୍ଡାର ତୋଟାପଦର ଘାଟରେ ମୋଟର ବୋଟକୁ ଅଟକାଇ ସାମଗ୍ରୀ ଲୁଟି ନେଇଥିଲେ ମାଓବାଦୀ । ତେଣୁ ଏଥର ଯବାନଙ୍କ ପାଖକୁ ହେଲିକପ୍ଟର ଯୋଗେ ରାସନ ସାମଗ୍ରୀ ପଠାଯାଇଛି ।