ଏଣିକି ବ୍ଲକସ୍ତରରେ ହେବ ଶିକ୍ଷକ ଓ ବିଦ୍ୟାଳୟ ସମସ୍ୟାର ସମାଧାନ : ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର

65

କନକ ବ୍ୟୁରୋ : ଏଣିକି ବ୍ଲକସ୍ତରରେ ହେବ ଶିକ୍ଷକ ଓ ବିଦ୍ୟାଳୟ ସମସ୍ୟାର ସମାଧାନ । ଜିଲ୍ଲା କିମ୍ବା ରାଜ୍ୟସ୍ତରରେ ଥିବା ଅଭିଯୋଗ ପ୍ରକୋଷ୍ଠ ବଦଳରେ ବ୍ଲକସ୍ତରରେ ଅଭିଯୋଗର ଶୁଣାଣି କରାଯିବ । ଶିକ୍ଷକଙ୍କୁ ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ । ବ୍ଲକସ୍ତରରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ଅଭିଯୋଗ ପ୍ରକୋଷ୍ଠକୁ ସକ୍ରିୟ କରାଯାଇ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି ।

ଗୋପବନ୍ଧୁ ପ୍ରଶାସନିକ ଏକାଡେମିଠାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଶିକ୍ଷା ପ୍ରଶାସନ ଅଧିକାରୀଙ୍କ ତିନିଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଜ୍ଜ୍ୱଳ, ଉତ୍ଥାନ ଓ ଉତ୍କର୍ଷ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଦ୍ୟାଳୟକୁ ଠିକ୍‌ ଭାବେ ମନିଟରିଂ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକମାନେ ନିୟମିତ ବ୍ୟବଧାନରେ ବିଦ୍ୟାଳୟକୁ ଗସ୍ତ କରି ଯାଞ୍ଚ କରିବେ । ଅଭିଭାବକ ଓ ଗୋଷ୍ଠୀଙ୍କ ସହ ଆଲୋଚନା କରି ସକରାତ୍ମକ ବାତାବରଣ ସୃଷ୍ଟି ଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟଗୁଡ଼ିକରେ ସବୁଜ ବାତାବରଣ ସୃଷ୍ଟି କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଯୋଗଦେଇ ଶିକ୍ଷା ବିଭାଗରେ ପୁନର୍ଗଠନ କରାଯିବା ସହ ଶିକ୍ଷା ସମ୍ପର୍କିତ ୧୫ଟି ପ୍ରସ୍ତାବକୁ ଗୃହୀତ କରାଯାଇଛି ବୋଲି କହିଥିଲେ । ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ (ଓପେପା)ର ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ସ୍ୱାଗତ ଭାଷଣ ଦେଇ ଗୁଣାତ୍ମକ ଶିକ୍ଷା ହାସଲ ନିମନ୍ତେ କାର୍ମତତ୍ପର ଓ ଉତ୍ତରଦାୟୀ ହେବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ମିଳନୀରେ ଏସ୍‌ସିଇଆର୍‌ଟି ନିର୍ଦେଶକ ପ୍ରତାପ ଚନ୍ଦ୍ର ଦାସ, ପ୍ରାଥମିକ ଶିକ୍ଷା ନିର୍ଦେଶକ ବିରଞ୍ଚି ନାରାୟଣ ମହାନ୍ତି, ବିଭାଗୀୟ ବରିଷ୍ଠ ପଦାଧିକାରୀ, ୩୦ଟି ଜିଲ୍ଲା ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ ।