ପୁଲିସର ସବୁଠାରୁ ଦକ୍ଷ ଗ୍ରେହାଉଣ୍ଡ ଫୋର୍ସ ! ଜଙ୍ଗଲ ଓ ପାହାଡି ଇଲାକାରେ ଅପରେସନରେ ସିଦ୍ଧହସ୍ତ ଗ୍ରେହାଉଣ୍ଡର ଅପରେସନ ଶୈଳୀ

29

କନକ ବ୍ୟୁରୋ : ମାଓ ବିରୋଧୀ ଅପରେସନରେ ପୋଲିସର ସବୁଠାରୁ ଦକ୍ଷ ଫୋର୍ସ । ବିଶେଷ କରି ଜଙ୍ଗଲ ଓ ପାହାଡ ଇଲାକାରେ ଯେକୌଣସି ଶତ୍ରୁକୁ ଠାବ କରି କାବୁ କରିବାରେ ସିଦ୍ଧହସ୍ତ । ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ ୯୮ ପ୍ରତିଶତ ଷ୍ଟ୍ରାଇକ ରେଟ୍ ଏମାନଙ୍କୁ ଅନ୍ୟ ସୁରକ୍ଷା ବଳଠାରୁ ସ୍ୱତନ୍ତ୍ର କରିଥାଏ । ସବୁଠାରୁ ବଡକଥା ହେଉଛି ଗୁଇନ୍ଦା ସୂଚନାକୁ ଆଧାର କରି ସ୍ୱତନ୍ତ୍ର ରଣନୀତି ସହ ଏମାନେ ଅପରେସନରେ ଆଗକୁ ବଢିଥାନ୍ତି । ଆଉ ଶତ୍ରୁପକ୍ଷକୁ ଚକମା ଦେଇ ଚାରିପଟୁ ଘେରି ଅତର୍କିତ ଆକ୍ରମଣ ଆରମ୍ଭ କରିଦିଅନ୍ତି । ଫଳରେ ଶତ୍ରୁପକ୍ଷ ସତର୍କ ହେବାର ସମ୍ଭାବନା କମଥାଏ ଓ ଖସିଯିବାର ବାଟ ମଧ୍ୟ ନଥାଏ । ନିଜକୁ ସୁରକ୍ଷିତ ରଖି ଶତ୍ରୁପକ୍ଷର ଅଧିକରୁ ଅଧିକ କ୍ଷତି କରିବା ସବୁବେଳେ ଗ୍ରେହାଉଣ୍ଡ ଫୋର୍ସର ଲକ୍ଷ୍ୟ ।

ଏକେ ସିରିଜ, ଇନସାସ ଓ ଏସଏଲଆର ପରି ଅତ୍ୟାଧୁନିକ ବନ୍ଧୁକ ଚଳାଇବାରେ ଗ୍ରେହାଉଣ୍ଡ ଫୋର୍ସର ଥାଏ ବିଶେଷ ଦକ୍ଷତା । ରାଜ୍ୟ ପୋଲିସ ଫୋର୍ସରୁ ହିଁ ଦକ୍ଷ ଓ ଧୁରନ୍ଧର କର୍ମଚାରୀମାନଙ୍କୁ ବାଛିବାଛି ଗ୍ରେହାଉଣ୍ଡ ପ୍ରଶିକ୍ଷଣ ଦିଆଯାଏ । ସର୍ବାଧିକ ୩୫ ବର୍ଷ ଯାଏଁ ଏମାନେ ଗ୍ରେହାଉଣ୍ଡ ଫୋର୍ସରେ ରହିଥାନ୍ତି । ପରେ ପୁଣି ସାଧାରଣ ପୋଲସ କର୍ମଚାରୀ ଭାବେ କାମ କରିଥାନ୍ତି । ତେଣୁ ଅନ୍ୟ ଅର୍ଦ୍ଧ ସାମରିକ ବଳ ତୁଳନାରେ ଏମାନେ ଅଧିକ ଯୁବକ ଓ ଅଧିକ ଫିଟ୍ । ଗୋଟିଏ ରାଜ୍ୟରେ ସର୍ବାଧିକ ୩ହଜାର ଗ୍ରେହାଉଣ୍ଡ ରହୁଥିବାବେଳେ ଅପରେସନ ସମୟରେ ଛୋଟଛୋଟ ଦଳରେ ଭାଗହୋଇ କାମ କରିଥାନ୍ତି । ଗୋଟିଏ ଦଳରେ ୧୫ରୁ ୨୦ ଜଣ ଯବାନ ରହିଥାନ୍ତି । ଗୋପନୀୟତା ଗ୍ରେହାଉଣ୍ଡ ଫୋର୍ସର ନିୟମ ହୋଥିବାରୁ ଏମାନଙ୍କ ବିଶୟରେ ବିଶେଷ କିଛି ଜଣାପଡିନଥିଲେ ମଧ୍ୟ ୧୯୮୯ରେ ଆଇପିଏସ ଅଧିକାରୀ କେଏସ ବ୍ୟାସଙ୍କୁ ମାଓବାଦୀଙ୍କ ହତ୍ୟା ପରେ ଗ୍ରେହାଉଣ୍ଡ ଫୋର୍ସ ଗଠନ ହୋଇଥିବା ସୂଚନା ମିଳିଛି । ଏପ ର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ହୋଇଥିବା ମାଓବିରୋଧୀ ଅପରେସନରେ ଗ୍ରେହାଉଣ୍ଡର ସଫଳତା ୮୦ ପ୍ରତିଶତ ବୋଲି କୁହାଯାଉଛି ।