ଟ୍ରାନଞ୍ଜିଟ୍ ରିମାଣ୍ଡରେ ଗ୍ରୀନ ରେ’ ଏମଡି ସହିରୁଦ୍ଦିନ : କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଲା ସିବିଆଇ

30

କନକ ବ୍ୟୁରୋ : ଟ୍ରାଂଜିଟ ରିମାଣ୍ଡରେ ଗ୍ରୀନ ରେ’ ଏମଡି ସହିରୁଦ୍ଦିନଙ୍କୁ ଭୁବନେଶ୍ୱର ଆଣିଛି ସିବିଆଇ । ଟ୍ରାଂଜିଟ ରିମାଣ୍ଡରେ ଆଣିବା ପରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ତାଙ୍କୁ ଆଜି କୋର୍ଟରେ ହାଜର କରାଇବ ସିବିଆଇ । କୋର୍ଟରେ ହାଜର ହେବା ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ସହିରୁଦ୍ଦିନ । କହିଛନ୍ତି ସେ ୨୦୧୩ରେ ନାଇଜେରିଆରେ ଯାଇଥିଲେ । ସହିରୁଦ୍ଦିନ ବିଦେଶରେ ରହିଥିବା ବେଳେ ଗ୍ରୀନ ଇଣ୍ଡିଆ କମ୍ପାନୀ ବନ୍ଦ ହୋଇଯାଇଥିଲା । ତେଣୁ କମ୍ପାନୀ ବନ୍ଦ ବାବଦରେ ତାଙ୍କୁ କିଛି ଜଣାନଥିବା କହିଛନ୍ତି । ଏହାସହ ତାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍ ଆଉଟ ସର୍କୁଲାରକୁ ନେଇ ମଧ୍ୟ ସେ ଅଜ୍ଞ ଥିବା କହିଛନ୍ତି ।

ସାରା ଦେଶରେ ୨ ହଜାର କୋଟି ଟଙ୍କା ଠକେଇ କରିଥିବା ଗ୍ରୀନ ରେ’ ଓଡିଶାରୁ ଲୁଟିଥିଲା ୫୦୦ କୋଟି । ଗତକାଲି କୋଲକାତାର ଏକ କୋର୍ଟରେ ହାଜର କରାଯିବା ପରେ ସହିରୁଦ୍ଦିନକୁ ଓଡିଶା ଅଣାଯାଇଛି । ଜେରା ବେଳେ ସିବିଆଇ ସହିରୁଦ୍ଦିନଠାରୁ ଅନେକ ଗୁମର ଖୋଲିବ । ଜମାକାରୀଙ୍କ  ପ୍ରାୟ ୨ହଜାର କୋଟି ଟଙ୍କା ଧରି ଚଂପଟ ମାରିବା ପରେ ନାଇଜେରିଆରେ ଗ୍ରୀନ୍ ରେ’ ଗୋଟିଏ କଂପାନୀ ସହ ମିଶି ଲିଜରେ ନେଇଥିଲା ଲୁହାପଥର ଖଣି । ଦୁବାଇରେ ମଧ୍ୟ ଚାଲିଥିଲା କଂପାନୀର କାରବାର ।

ରାଜ୍ୟରେ ୫୨ଟି ବ୍ରାଂଚ ଖୋଲି କଂପାନୀ ୫ ଶହ କୋଟି ଠକି ନେଇଥିଲା । ଜଳେଶ୍ୱରରେ ସଂସ୍ଥା ବିରୋଧରେ ଅଭିଯୋଗ ହେବା ପରେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଆରମ୍ଭ କରିଥିଲା ତନାଘନା । ୪୦ଟି ବ୍ୟାଙ୍କ ଆକାଉଂଟରେ ଥିବା ୫୭ ଲକ୍ଷ ଟଙ୍କା, ୧୦ କେଜି ରୂପା ଗହଣା, ୨୪୬ ଗ୍ରାମ ସୁନା, ୧୦ ଲକ୍ଷ ନଗଦ ଟଙ୍କା, ୨୦ ଏକର ଜମି ସିଜ୍ ହୋଇଥିଲା ।