ବୃକ୍ଷରୋପଣ ସହ ସବୁଜ ମହାନଦୀ ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ! ଲାଗିବ ୫ କୋଟିରୁ ଅଧିକ ଗଛ, ଖର୍ଚ୍ଚ ହେବ ୫ ହଜାର କୋଟି ଟଙ୍କା ।

69

କନକ ବ୍ୟୁରୋ : ମିଶନ ସବୁଜ ମହାନଦୀ । ଆଉ ଏହାର ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁବର୍ଣ୍ଣପୁରରେ ବୃକ୍ଷରୋପଣ ସହ ସବୁଜ ମହାନଦୀ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ଜୀବନ ରେଖା ମହାନଦୀର ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ସବୁଜ ମହାନଦୀ ମିଶନର ପରିକଳ୍ପନା କରାଯାଇଛି । ଚଳିତ ବର୍ଷ ସବୁଜ ମହାନଦୀ ମିଶନ ମାଧ୍ୟମରେ ମହାନଦୀ ଓ ଏହାର ଉପନଦୀ ତେଲ ଓ ଇବ୍ ଉପକୂଳ ଅଂଚଳରେ ଉଭୟ ପାଶ୍ୱର୍ରେ ଏକ ସବୁଜ ବଳୟ ସୃଷ୍ଟି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଅଟେ । ତାହା ସହିତ ରାଜ୍ୟର ପ୍ରମୁଖ ନଦୀ ଏବଂ ଉପନଦୀର ଉଭୟ ପାଶ୍ୱର୍ରେ ଆସନ୍ତା ବର୍ଷଠାରୁ ପର୍ଯ୍ୟାୟକ୍ରମେ ବନୀକରଣ କରାଯିବ । ପାଂଚ ବର୍ଷରେ ରାଜ୍ୟରେ ସବୁ ପ୍ରମୁଖ ନଦୀଗୁଡିକର ଉଭୟ ପାଶ୍ୱର୍ରେ ୪୧ ହଜାର ହେକ୍ଟରରେ ଏବଂ ୫ ହଜାର କୋଟି ଟଙ୍କାରେ ୫ କୋଟିରୁ ଅଧିକ ବୃକ୍ଷ ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ।

ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର କେତେକ ଜିଲ୍ଲା ଗସ୍ତ କରିଥିଲେ । ସମ୍ବଲପୁର, ବୌଦ୍ଧ ଏବଂ ସୋନପୁରର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ଗତ କିଛି ଦିନ ଧରି ପ୍ରବଳ ବର୍ଷା ଫଳରେ ଏହି ଜିଲ୍ଲା ଗୁଡିକର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ୧୦ଟି ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା କରିଥିଲେ । ସମୀକ୍ଷା କରିବା ପରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।