କେଉଁ ମହାପୁରୁଷଙ୍କ ପାଇଁ ଖର୍ଚ୍ଚ ହୋଇଛି କେତେ ଟଙ୍କା : ତାଲିକା ଦେଲେ ସରକାର

99

କନକ ବ୍ୟୁରୋ : ଆପଣ କେବେ ଭାବିଛନ୍ତି- ଆପଣଙ୍କ ପ୍ରିୟ ମହାପୁରୁଷଙ୍କ ଜୟନ୍ତୀ ଏବଂ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ରାଜ୍ୟ ସରକାର । କେବେ ଭାବିଛନ୍ତି କେଉଁ ମହାପୁରୁଷଙ୍କ ଜୟନ୍ତୀ ଏବଂ ଶ୍ରାଦ୍ଧ ଦିବସ, ଧୁମଧାମରେ ପାଳିତ ହୋଇଥାଏ ଏବଂ କେଉଁ ମହାପୁରୁଷଙ୍କ କେବଳ ଔପଚାରିକ ଭାବରେ ପାଳନ ହୋଇଥାଏ । ବିଜେପି ବିଧାୟକ ରବି ନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତର ସଂପର୍କରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରଖିଥିବା ସୂଚନା ସଂପର୍କରେ ଆମେ ଆପଣଙ୍କୁ କହିବାକୁ ଚାହିଁବୁ । ଯାହା ଦେଖିଲେ ଆପଣ ନିଜେ ବୁଝିଯିବେ- କେଉଁ ମହାପୁରୁଷଙ୍କୁ ଅଧିକ ଭଲ ପାଆନ୍ତି ଆମ ରାଜ୍ୟ ସରକାର ।

ତାଲିକାରେ ରହିଛି ଓଡ଼ିଶାର ମହାପୁରୁଷ, ସ୍ୱାଧିନତା ସଂଗ୍ରାମୀ ଏବଂ ଶହିଦଙ୍କ ନାଁ । ଯେଉଁ ମହାପୁରୁଷଙ୍କ ଜୟନ୍ତୀ ଏବଂ ଶ୍ରାଦ୍ଧ ଦିବସକୁ ରାଜ୍ୟସ୍ତରୀୟ ଉତ୍ସବ ଭାବରେ ପାଳନ କରନ୍ତି ସରକାର । ଏବଂ ଏହି ଉତ୍ସବ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତିି ରାଜ୍ୟ ସରକାର । ବିଜେପି ବିଧାୟକ ରବି ନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ବିକ୍ରମ ଆରୁଖ ରଖିଥିବା ତଥ୍ୟ ଅନୁସାରେ ମହାପୁରୁଷଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଏବଂ ଶ୍ରାଦ୍ଧ ଦିବସ ଉତ୍ସବ ପାଇଁ ବିଭାଗ ପକ୍ଷରୁ ଖର୍ଚ୍ଚ ହୋଇଛି ୮୩ ଲକ୍ଷ ୭୪ ହଜାର ୪୫ ଟଙ୍କା । ଆଉ ସବୁଠୁ ଆଗରେ ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁ । ଯାହାଙ୍କ ନାଁରେ ଗଠିତ ହୋଇଛି ବିଜୁ ଜନତା ଦଳ ଏବଂ ଯେଉଁ ଦଳ ଦୀର୍ଘ ୧୭ ବର୍ଷ ଧରି ଓଡ଼ିଶାର ଶାସନବାଦୀକୁ ସଂଭାଳିଛି ।

ନଜର ପକାନ୍ତୁ କେଉଁ ମହାପୁରୁଷଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର ।
-ବିଜୁ ପଟ୍ଟନାୟକ- ୫୦ଲକ୍ଷ ୬୯ ହଜାର ୮୩୧ ଟଙ୍କା
-ଶହୀଦ ବାଜି ରାଉତ- ୧ଲକ୍ଷ ୨୨ ହଜାର ୪୧୩ ଟଙ୍କା
-ଜୟୀ ରାଜଗୁରୁ ୧ଲକ୍ଷ ୧୯ ହଜାର ୧୫୬ ଟଙ୍କା
– ଶହୀଦ ଲକ୍ଷ୍ମଣ ନାୟକ ୧ଲକ୍ଷ ୧୮ ହଜାର ୮୭୩ ଟଙ୍କା
-ବୀର ସୁରେନ୍ଦ୍ର ସାଏ ୧ଲକ୍ଷ ୯ ହଜାର ୪୫୮ ଟଙ୍କା

ସବୁଠାରୁ ବଡ କଥା ହେଉଛି ବିଜୁ ବାବୁଙ୍କ ଜନ୍ମଶତବାର୍ଷିକୀ ପାଇଁ କେବଳ ଖର୍ଚ୍ଚ ହୋଇଛି ୫୦ ଲକ୍ଷରୁ ଅଧିକ ଟଙ୍କା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି-ତାଲିକାରେ ଥିବା ଅବଶିଷ୍ଟ କୌଣସି ମହାପୁରୁଷଙ୍କ ଜୟନ୍ତୀ ଏବଂ ଶ୍ରାଦ୍ଧ ଦିବସ ପାଇଁ ହୋଇଥିବା ଖର୍ଚ୍ଚ ୨ଲକ୍ଷ ବି ଛୁଇଁନି ।
ଏହି ତାଲିକାରେ ଥିବା ମହାପୁରୁଷଙ୍କ ମଧ୍ୟରୁ ସବୁଠୁ କମ୍ ଖର୍ଚ୍ଚ ହୋଇଛି ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର ଆମ୍ବେଦରଙ୍କ ଜୟନ୍ତୀ ପାଇଁ । ଆମ୍ବେଦର ଜୟନ୍ତୀରେ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ମାତ୍ର ୭୭ ହଜାର ୮୮୮ ଟଙ୍କା ।