ମା’ ଛାଡ଼ି ଚାଲିଗଲା, ବାପା ମାନସିକ ବିକାରଗ୍ରସ୍ତ : ମାଗିଯାଚି ୨ ନାତିଙ୍କ ମୁହଁରେ ଦାନା ଦେଉଛି ବୁଢ଼ୀ ଜେଜେମା’

474

କନକ ବ୍ୟୁରୋ : ରାହା ଖୋଜୁଛନ୍ତି ଦୁଇ ବେସାହାରା ଶିଶୁ । ବାପା ମାନସିକ ବିକାରଗ୍ରସ୍ତ । ମା’ ପାଖରେ ନାହିଁ । ଆଉ ଏବେ ଜେଜେମା’ଙ୍କ ପାଖରେ ବିତୁଛି ଦୁଇ ଅସହାୟ ଶିଶୁଙ୍କ ଜୀବନ । ପରିଣତ ବୟସରେ ମାଗି ଯାଚି ଦୁଇ ଶିଶୁଙ୍କୁ ମୁହଁରେ ଆହାର ଦେଉଛନ୍ତି ଜେଜେମା । ଝାଟିମାଟି ଚାଳଛପର ଘରେ ବନ୍ଧାପଡ଼ିଛି ଜୀବନ । ଭତ୍ତା ଟଙ୍କାରେ ଚଳୁଛି ୪ ପ୍ରାଣୀ ପରିବାର । ଓଳିଏ ଖାଇଲେ ଓଳିଏ ଉପବାସ ।

ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଖଣ୍ଡରା ଗାଁରେ । ଖଣ୍ଡରା ଗାଁ ଗେଡ଼ି ସାହିର ଦୀନବନ୍ଧୁ ପାତ୍ରଙ୍କ ଦୁଇ ଶିଶୁ ପୁତ୍ରଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଆଜକୁ ଦୁଇ ବର୍ଷ ତଳେ ଆର୍ଥିକ ସ୍ଥିତି ଓ ଅଭାବ ଅନଟନ ପାଇଁ ମାନସିକ ଭାରସାମ୍ୟ ହରାଇଥିଲେ ଦୀନବନ୍ଧୁ । ଦୀନବନ୍ଧୁଙ୍କ ଏପରି ଅବସ୍ଥା ଦେଖି ତାଙ୍କ ସ୍ତ୍ରୀ ଘର ଛାଡ଼ି ଚାଲିଗଲେ । ଏବେ ଜେଜେମା’ଙ୍କ ଉପରେ ଦୁଇ ନାତିଙ୍କ ଭାର । ଦାରିଦ୍ର୍ୟର କଷାଘାତରେ ଦୁଇ ଶିଶୁପୁତ୍ର । ଏ ବୟସରେ ଦୁଇ ନାତିଙ୍କ ବୋଝ ସାଙ୍ଗକୁ ମାନସିକ ବିକାରଗ୍ରସ୍ତ ପୁଅର ଭାର । ଦିନକୁ ଦୁଇମୁଠା ଖାଇବା ଯୋଗାଇବା କଷ୍ଟକର । ମାତ୍ର ୫୦୦ ଟଙ୍କା ଭତ୍ତା ଆଉ ଚାଉଳରେ ଚଳୁଛି ପରିବାର । ବେଳେ ଖାଇଲେ ବେଳେ ଓପାସ । ଗୋଟି ଏ କଂସାରେ ଭାଗବାଣ୍ଟି ଭାତ ଖାଉଛନ୍ତି ବୁଢ଼ୀମା’ ଆଉ ଦୁଇ ନାତି ।

ପାଖ ପଡ଼ୋଶୀ ଯେତିକି ପାରନ୍ତି ସାହାଯ୍ୟ କରନ୍ତି । ଦୁଇ ଶିଶୁକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇବା ସହ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରାଯାଇଛି । ସରକାର ଥଇନାନ କଲେ ସେମାନଙ୍କ ଭବିଷ୍ୟତ ସୁଧୁରିପାରିବ । ତେବେ ଏନେଇ ଜିଲ୍ଲା ସୁରକ୍ଷା ଅଧିକାରୀ ଉଭୟଙ୍କୁ ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଗରିବଗୁରୁବାଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ତେବେ ସରକାରୀ ଯୋଜନା ଗୁଡ଼ିକ ସଠିକ୍ ଭାବେ ଏହି ପରିବାର ପାଖରେ ପହଂଚି ପାରିଲେ ସେମାନେ ଉପକୃତ ହୋଇପାରନ୍ତେ ।