ଚାଷ ଜାଳିଦେଲା ଚାଷୀ ! ଫସଲ ନଷ୍ଟ ହୋଇଥିବାରୁ ନିଜ ଜମିରେ ଲଗାଇଲା ନିଆଁ

29

କନକ ବ୍ୟୁରୋ : ଚାଷ ଜାଳିଦେଲା ଚାଷୀ । ପୋକ ଲାଗି ଫସଲ ନଷ୍ଟ ହୋଇଯିବାରୁ ହତାଶ ହୋଇ ନିଜ ଜମିରେ ନିଆଁ ଲଗାଇ ଦେଇଛି ଚାଷୀ । ବରଗଡ କଳାପାଣି ପଂଚାୟତରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଦଶରୁ ପନ୍ଦର ଜଣ ଚାଷୀ ଏକର ଏକର ଜମିରେ ଚାଷୀ ନିଆଁ ଲଗାଇଦେଇଛି ।ପୂର୍ବରୁ ଜମିରେ ଚକଡା ପୋକ ଲାଗି ଫସଲ ନଷ୍ଟ ହୋଇଯାଇଥିଲା । ଜୀବନ ଓ ଜୀବିକା ପାଇଁ ଦୁଇ ଦୁଇ ଥର ଆନ୍ଦୋଳନକୁ ଓହ୍ଲାଇଥିଲେ ଚାଷୀ ମାନେ । ଗତ ୪ତାରିଖ ଓ ଗତକାଲି ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଥିଲେ । ଦଶଦିନ ଆଗରୁ ସ୍ଥାନୀୟ ଆରଆଇ ସରଜମିନ ତଦନ୍ତ କରିବା ସହ ଚାଷୀଙ୍କ ସହ କଥା ହୋଇଥିଲେ । ଆରଆଇଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଚାଷୀଙ୍କ ସମସ୍ୟାନେଇ ସମସ୍ତେ ଅବଗତ ଥିଲେବି କାହାରି ପାଖରୁ ଚାଷୀଙ୍କ ପ୍ରତି ଦରଦ ଦେଖିବାକୁ ମିଳିନଥିଲା । ନେତା, ଅଫିସର ସମସ୍ତେ ଜାଣିବି ନଜାବାର ଅଭିନୟ କରିଥିଲେ ।

କଳାପାଣି ଅଂଚଳର ଚାଷୀ ସାଂଘାତିକ ଅଭିଯୋଗ କରିଛନ୍ତି । ସରକାରଙ୍କ ଦ୍ୱାରା ବିକ୍ରି କରାଯାଉଥିବା ପୋକମରା ଔଷଧ ନିମ୍ନମାନର ବୋଲି ଚାଷୀ ମାନେ କହିଛନ୍ତି । ଏକର ଜମିରେ ଏକ ଲିଟର ଔଷଧ ପକା ଯାଇଥାଏ । କିନ୍ତୁ ସରକାର ଦେଉଥିବା ଔଷଧ ଏକ ଲିଟର ପକାଇଲେ ବି ଫସଲରେ ପୋକ ଲାଗୁଥିଲେ । ତେବେ ଚାଷୀଙ୍କ ଦାବି ପ୍ରତି କେହି କର୍ଣ୍ଣପାତ ନକରିବାରୁ ବାଧ୍ୟହୋଇ ଏପରି କଲେ ବୋଲି ଚାଷୀମାନେ କହିଛନ୍ତି ।

ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବିରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଷୀମାନେ ଗର୍ଜନ କରୁଥିଲେ ବି ପ୍ରକୃତରେ ତାଙ୍କ ଦାବି ପ୍ରତି ଅଣଦେଖା କରାଯାଉଥିବା ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ଓଡିଶାରୁ ଅନେକ ଚାଷୀ ନିଜ ହକ ପାଇଁ ଦିଲ୍ଲୀରେ ଆନ୍ଦୋଳନ କରିଥିଲେ । ଅନେକ ସମୟରେ ଭୋଟବ୍ୟାଙ୍କ ଆଶାରେ ନେତାମାନେ ଚାଷୀଙ୍କର ବିଭିନ୍ନ ପ୍ରସଙ୍ଗ ଉଠାଇଥାଆନ୍ତି । କିନ୍ତୁ ବାସ୍ତବତା ଅଲାଗା ।

ତେବେ ଜିଲ୍ଲାପାଳ ଚାଷୀଙ୍କ ଆଭିମୁଖ୍ୟ ପ୍ରତି ଏପରି ମନୋଭାବ ପୋଷଣ କଲେ କାହିଁକି ? ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ସହ ଜିଲ୍ଲାପାଳ ଓ କିମ୍ବା କୌଣସି ସରକାରୀ ଅଧିକାରୀ ତାଙ୍କ ସହ କଥା ହୋଇଥିଲେ କି ? ଚାଷୀମାନେ କରିଥବା ନିମ୍ନମାନର ଔଷଧ ବିକ୍ରି ଅଭିଯୋଗ ପ୍ରତି ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କି ? ତେବେ ଜିଲ୍ଲା ପ୍ରଶାସନ ଚାଷୀଙ୍କ ସମସ୍ୟା ଜାଣିଥିଲେ ସୁଦ୍ଧା କିପରି ଚାଷୀଙ୍କ ପ୍ରତି କୌଣସି ସହାୟତା ପ୍ରଦାନ କରିନଥିଲେ ତାହା ସନ୍ଦେହ ସୃଷ୍ଟି କରୁଛି ।