ରାଜ୍ୟରେ ସ୍ନାତର ପଢିଥିବା କନଷ୍ଟେବଳ ଏଣିକି କରିବେ ତଦନ୍ତ ! ଅଢେଇ ମାସ ପ୍ରଶିକ୍ଷଣ ପରେ ହେବ ପରୀକ୍ଷା

ସ୍ନାତକ ପଢିଥିବା କନଷ୍ଟେବଳ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ

107

କନକ ବ୍ୟୁରୋ : ଏଣିକି ଓଡ଼ିଶା ପୁଲିସରେ ସ୍ନାତକ ପଢିଥିବା କନଷ୍ଟେବଳ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ । ଏ ନେଇ ଗୁରୁବାର ଏକ ସଂକଳ୍ପ ଜାରି କରିଛି ରାଜ୍ୟ ଗୃହ ବିଭାଗ । ଅନ୍ୟ ରାଜ୍ୟ ଭଳି ଓଡ଼ିଶା ପୁଲିସର କନଷ୍ଟେବଳ ଓ ଅପରାଧିକ ଗୁଇନ୍ଦା ହାବିଲଦାରଙ୍କୁ ଫୌଜଦାରୀ ମାମଲାର ତଦନ୍ତକାରି ଅଧିକାରୀ ଭାବେ ନିୟୋଜିତ କରାଯାଇପାରିବ। ତଦନ୍ତକାରୀ ଅଧିକାରୀଙ୍କ ଅଭାବ ଓ ତଦନ୍ତରେ ବିଳମ୍ବ ଯୋଗୁଁ ଶହଶହ ମାମଲାରେ ଲୋକେ କୋର୍ଟରେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରିକି ଥାନା ଅଧିକାରୀଙ୍କ ଉପରେ ଏକାଧିକ ଦାୟିତ୍ବ ନ୍ୟସ୍ତ ଥିବାରୁ ସରକାର ଛୋଟ ଛୋଟ ଦଫା ଲାଗିଥିବା ମାମଲାର ତ୍ବରିତ ତଦନ୍ତ ସାରିବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

 

ଗୃହ ବିଭାଗର ସଂକଳ୍ପ ଅନୁଯାୟୀ, ଥାନାର ଆଇଆଇସି କିମ୍ବା ଓଆଇସି ସମ୍ପୃକ୍ତ ଥାନାରେ ସ୍ନାତକ ଯୋଗ୍ୟତା ଥିବା କନଷ୍ଟେବଳଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରିପାରିବେ। ଆଇପିସିର ଧାରା ୨୭୭, ୨୭୯, ୨୮୦, ୨୮୨, ୨୮୩, ୨୮୪, ୨୮୫, ୨୮୬, ୨୮୭, ୨୮୮, ୨୮୯, ୨୯୧, ୨୯୨, ୨୯୨-କ, ୨୯୪, ୩୦୪-କ, ୩୧, ୩୨୪, ୩୩୬, ୩୩୭, ୩୩୮, ୩୪୧, ୩୪୨, ୩୪୩, ୩୪୪, ୩୪୫, ୩୪୬, ୩୪୭, ୩୪୮, ୩୫୬, ୩୫୭, ୩୭୯ ଭଳି ଫୌଜଦାରୀ ମାମଲାର ତଦନ୍ତ ଗ୍ରାଜୁଏଟ କନଷ୍ଟେବଳ କରିପାରିବେ । ଏହାସହିତ ଜମିବାଡ଼ି ସଂକ୍ରାନ୍ତ ଦେଵାନୀ ମାମଲାରେ ଯେଉଁ ସମ୍ପତ୍ତି ମୂଲ୍ୟ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥିବ, ସେଥିରେ ଆଇପିସର ଧାରା ୪୪୭,୪୪୮ ଏବଂ ୪୫୩ରେ ତଦନ୍ତକାରୀ ଅଧିକାରୀ ଭାବେ ତଦନ୍ତ କରିପାରିବେ କନଷ୍ଟେବଳ ।

 

ସଂକଳ୍ପରେ ଆହୁରି କୁହାଯାଇଛି, ଯେଉଁ ଅପରାଧିକ ମାମଲାର ଦଣ୍ଡବିଧାନ ୩ବର୍ଷ ହେଉଥିବ ତାହାର ଉଲଂଘନ ନେଇ ତଦନ୍ତ କରିବାକୁ ଦାୟିତ୍ବ ସ୍ନାତକ ଯୋଗ୍ୟତା ଥିବା କନଷ୍ଟେବଳଙ୍କୁ ଦାୟିତ୍ବ ଦିଆଯାଇ ପାରିବ।ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ବ ନେଇଥିବା କନଷ୍ଟେବଳଙ୍କୁ କାର୍ଯ୍ୟକୁ ସମ୍ପୃକ୍ତ ଥାନାର ଆଇଆଇସି କିମ୍ବା ଓଆଇସି ତଦାରଖ କରିବେ । ଏଥିପାଇଁ ଯୋଗ୍ୟ ବିବେଚିତ କନଷ୍ଟେବଳଙ୍କୁ ଫୌଜଦାରୀ ମାମଲା ସଂକ୍ରାନ୍ତରେ ୩୦ ଦିିନର ପ୍ରଶିକ୍ଷଣ ଦିଆଯିବା ସହ ଥାନାରେ ୪୫ ଦିନିଆ ପ୍ରାକ୍ଟିକାଲ ଟ୍ରେନିଂ ଦେବା ପାଇଁ ବ୍ୟବସ୍ଥା ରହିଛି। ପ୍ରଶିକ୍ଷଣ ପରେ ପୁଲିସ ଡିଜି ଓ ଆଇଜିଙ୍କ ଦ୍ବାରା ସମ୍ପୃକ୍ତ କନଷ୍ଟେବଳଙ୍କ ପରୀକ୍ଷା ନିଆଯିବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ଅଧିକାରୀଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିୟୋଜିତ କରାଯିବା ପାଇଁ ଗୃହ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି ।