ଚିଲିକା ଅଘଟଣ ପରେ ଚେତିଲା ପ୍ରଶାସନ ! ଜାଣନ୍ତୁ ଏଣିକି ଡଙ୍ଗାରେ ଯାତ୍ରା କରିବା ବେଳେ ଯାତ୍ରୀଙ୍କୁ କଣ କରିବାକୁ ପଡ଼ିବ

38

କନକ ବ୍ୟୁରୋ : ଚିଲିକା ଅଘଟଣ ପାଇଁ ଖାଲି ପବନ ନୁହେଁ, ଡଙ୍ଗା ମାଲିକ ବି ଦାୟୀ । ମଝି ହ୍ରଦରେ ପ୍ରବଳ ବେଗରେ ପବନ ସହ ଡଙ୍ଗାରେ କଣା ଥିବାରୁ ଏତେ ବଡ ଦୁର୍ଘଟଣା ଘଟିଲା ବୋଲି ଆଜି ମତ ଦେଇଛନ୍ତି ପରିବହନ ମନ୍ତ୍ରୀ । ସେପଟେ ଏହି ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଯିବା ପରେ ଚେତା ପଶିଛି । ଏଣିକି ଡଙ୍ଗାରେ ଲାଇଫ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ କରାଯିବ । ଡଙ୍ଗା ଗୁଡିକରେ ଜିପିଏସ ଲଗାଯିବ, ଯାହା ଡଙ୍ଗାର ଗତିବିଧି ଅନୁଧ୍ୟାନ କରିବ ।

ଚିଲିକା ଡଙ୍ଗାବୁଡି ଘଟଣାର ରିପୋର୍ଟ ଆସିବା ପରେ ଗତକାଲି ଚିଲିକା ଅଘଟଣ ପଛରେ ପବନକୁ ଦୋଷ ଦେବା ସହ ପ୍ରଶାସନିକ ଦୋଷ ଦୁର୍ବଳତାକୁ ଲୁଚାଇଥିଲେ ପରିବହନ ସଚିବ ଜି.ଶ୍ରୀନିବାସ । ଆଜି ଦୁର୍ଘଟଣା ପାଇଁ ଡଙ୍ଗା ମାଲିକଙ୍କୁ ଦାୟୀ କରିଛନ୍ତି ପରିବହନ ମନ୍ତ୍ରୀ । ଡଙ୍ଗାରେ କଣା ଥିବାରୁ ଦୁର୍ଘଟଣା ଘଟିଲା କହି ପୁଣି ଥରେ ପ୍ରଶାସନକୁ ଘଂଟ ଘୋଡାଇବାକୁ ଉଦ୍ୟମ ହୋଇଛି ।

ଚିଲିକା ଅଘଟଣରେ ୬ ଜଣଙ୍କ ଜୀବନ ଯିବା ଘଟଣା, ସାରା ଓଡିଶାକୁ ଦୋହଲାଇ ଦେଇଥିଲା । ତୁରନ୍ତ ତଦନ୍ତ ପାଇଁ ଚିଲିକା ଜଳ ପରିବହନ କମିଶନକୁ ନିର୍ଦ୍ଦେଶ ଦେଇଥିଲେ ପରିବହନ ମନ୍ତ୍ରୀ । ଏବେ ରିପୋର୍ଟ ଆସିବା ପରେ ଚାଲିଛି ଦୋଷ ଲଦାଲଦି । ମନ୍ତ୍ରୀ କହିଛନ୍ତି, ନିୟମ ଉଲଘଂନ କରିଥିବା ମାଲିକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଣିକି ଲାଇଫ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ କରାଯିବ । ତାହା ସହିତ ଡଙ୍ଗା ଗୁଡିକରେ ଜିପିଏସ ଲଗାଯିବ, ଯାହା ଡଙ୍ଗାର ଗତିବିଧି ଅନୁଧ୍ୟାନ କରିବ । ସେହିପରି ଡଙ୍ଗାରେ ଜଣେ ସର୍ଭେୟର ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଚିଲିକାରୁ କାଳିଜାଇ ପ୍ରତିଦିନ ଶହ ଶହ ଡଙ୍ଗା ଚାଲିଛି । ଅନେକ ବେସରକାରୀ ଡଙ୍ଗାର ଫିଟନେସ୍ ନଥିବା ବେଳେ କିଛି ବୋଟ୍ ବିନା ଲାଇସେନ୍ସରେ ଚାଲିଛି । ବଡ କଥା ହେଉଛି ବିନା ଲାଇଫ୍ ଜାକେଟରେ ପ୍ରତିଦିନ ଅତି ବିପଦ ସଂକୁଳ ଭାବରେ ଯାତ୍ରା କରୁଛନ୍ତି ଶହ ଶହ ଲୋକ । ଏବେ ସରକାରଙ୍କ ଏ ଘୋଷଣା କେବେ ପାଳନ ହେଉଛି ତାହାକୁ ଅପେକ୍ଷା ।