ଚିଲିକାର ଡଙ୍ଗା ବୁଡି ପରେ ଚେତିଲେ ସରକାର : ଏଣିକି ଡଙ୍ଗାର ଗତିବିଧି ଅନୁଧ୍ୟାନ ପାଇଁ ଲାଗିବ ଜିପିଏସ

52

କନକ ବ୍ୟୁରୋ : ଚିଲିକା ଡଙ୍ଗା ବୁଡି ଘଟଣା ପରେ ସରକାରଙ୍କ ଚେତା ପଶିଲା । ଡଙ୍ଗାରେ ଲାଗିବ ଜିପିଏସ । ଏଣିକି ଡଙ୍ଗାର ଗତିବିଧି ଅନୁଧ୍ୟାନ ପାଇଁ ଜିପିଏସ ଲାଗିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡଙ୍ଗାରେ ଜଣେ ଅନୁଧ୍ୟାନକାରୀ ରହିବେ । ଏହା ସହ ଲାଇଫ ଜ୍ୟାକେଟ ପିନ୍ଧିବା ପାଇଁ ତାଗିଦ କରାଯିବ । ନିୟମ ଉଂଲଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି ।ଗତ ଶନିବାର କାଳୀଜାଇ ଦର୍ଶନ ସାରି ଫେରୁଥିବା ବେଳେ ମଝି ଚିଲିକାରେ ଡଙ୍ଗା ବୁଡି ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଡଙ୍ଗାର ସ୍ଥିତି ଭଲ ନଥିଲା, ପାଣି ଗଳୁଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

Chilika boat tragedy

ସୂଚନାଯୋଗ୍ୟ ଆଜିକୁ ୬ ଦିନ ପୂର୍ବରୁ ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ୬ ଜଣ ମୃତ୍ୟୁମୁଖରେ ପଡ଼ିଥିଲେ । ନାଉରିଆ ସମେତ ଡଙ୍ଗାରେ ସବାର ୧୬ଜଣ ଖୁସି ମନରେ କାଳିଜାଇ ଦର୍ଶନ ସାରି ବାଲୁଗାଁ ଫେରୁଥିଲେ । ଶେଷ ରଜରେ ମାଆ କାଳିଜାଇଙ୍କ ଦର୍ଶନ କରି ଫେରୁଥିବାବେଳେ ମନରେ ଥିଲା ଅପୂର୍ବ ଉତ୍ସାହ । ହେଲେ ଏହି ଖୁସି ବେଶି ସମୟ ରହିନଥିଲା । କାରଣ ମଝି ହ୍ରଦରେ ଡଙ୍ଗା ପହଂଚିଲା ବେଳକୁ ହଠାତ ମାଡିଆସିଥିଲା କଳା ହାଣ୍ଡିଆ ମେଘ ସାଙ୍ଗକୁ ଝଡ ପବନ । ଆଉ ସମସ୍ତଙ୍କ ମନରେ ପଶିଯାଇଥିଲା ଛନକା । ଭୟ ଆତଙ୍କ ଖେଳାଇ ଦେଇଥିଲା, ଯେତେବେଳେ ଡଙ୍ଗା ଭିତରେ ପଶିଗଲା ପାଣି । ଛାନିଆରେ କିଛି ଯାତ୍ରୀ ଡଙ୍ଗାରୁ ପାଣିକୁ ଡେଇଁ ପଡିଲେ । ଆଉ ସନ୍ତୁଳନ ହରାଇ ଚାହୁଁଚାହୁଁ ଡଙ୍ଗାଟି ଓଲଟିପଡିଲା । ତେବେ ଡଙ୍ଗା ବୁଡ଼ି ନେଇ ଗତକାଲି ତଦନ୍ତ ରିପୋର୍ଟ ଆସିଥିଲା । ପ୍ରବଳ ପବନ ଯୋଗୁଁ ଡଙ୍ଗା ଓଲଟି ପଡ଼ିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ତେବେ ଘଟଣାର ସତ୍ୟତା ଯାହା ବି ହେଉ ଏବେ ସରକାରଙ୍କ ଚେତା ପଶିଛି । ଆଉ ଡଙ୍ଗାରେ ଜିପିଏସ୍ ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି ।