ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର: ବିଦ୍ୟାଳୟ ଦୂର ହେଲେ ବାଟଖର୍ଚ୍ଚ ଦେବେ ରାଜ୍ୟ ସରକାର, ଜାଣନ୍ତୁ କେତେ ଟଙ୍କା ଆସିବ ଆକାଉଣ୍ଟକୁ

4,397

କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି ସରକାରୀ ପ୍ରାଥମିକ ସ୍କୁଲ ପିଲାଙ୍କ ଯାତାୟାତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏକ କିମିରୁ ସ୍କୁଲର ଦୂରତା ଅଧିକ ହେଲେ ପିଲାଙ୍କୁ ବାଟ ଖର୍ଚ୍ଚ ଦିଆଯିବ । ତେବେ ସ୍କୁଲ ପିଲାଙ୍କ ବାଟଖର୍ଚ୍ଚ ସେମାନଙ୍କ ଅଭିଭାବକଙ୍କ ଆକାଉଣ୍ଟକୁ ସିଧା ପଠାଯିବ । ମାସକୁ ୩ ହଜାର ଟଙ୍କା ଲେଖାଏଁ ଯାତାୟାତ ଖର୍ଚ୍ଚ ଦେବାକୁ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ସେପଟେ ଉପସ୍ଥାନ କମ ରହୁଥିବା ସ୍କୁଲକୁ ବନ୍ଦ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉକ୍ତ ସ୍କୁଲ ଗୁଡିକୁ ବନ୍ଦ କରି ଅନ୍ୟତ୍ର ପଠାଯିବ । ରାଜ୍ୟରେ ୧୦ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ସ୍କୁଲ ଗୁଡିକୁ ବନ୍ଦ କରି ଏଠାରୁ ଛାତ୍ରଛାତ୍ରୀଙ୍କୁ ଗୋଟିଏ କିଲୋମିଟର ମଧ୍ୟରେ ଥିବା ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କରାଯିବ । ଯଦି ଉକ୍ତ ସ୍କୁଲର ଦୂରତା ୧ କିମିରୁ ଅଧିକ ହେଲା ତେବେ ସରକାର ବାଟଖର୍ଚ୍ଚ ଦେବେ ।

ତେବେ ରାଜ୍ୟରେ ଏବେ ଏଭଳି ଉପସ୍ଥାନ କମ୍ ଥିବା ତାଲିକାରେ ରହିଛି ୯୬୬ଟି ପ୍ରାଥମିକ ସ୍କୁଲ । ସ୍କୁଲ ସ୍ଥାନାନ୍ତର ସମୟରେ ଉପସ୍ଥାନ ଅନୁସାରେ ଛାତ୍ରଛାତ୍ରୀଙ୍କୁ ଏହି ବାଟଖର୍ଚ୍ଚ ମିଳିବ । ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରାଛାତ୍ରୀଙ୍କୁ ମାସକୁ ୬ ଶହ ହିସାବରେ ୧୦ ମାସକୁ ଦିଆଯିବ ୬ ହଜାର ଟଙ୍କା । ୫୦ରୁ ୭୪ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ମାସକୁ ୪ ଶହ ଟଙ୍କା ହିସାବରେ ୧୦ ମାସକୁ ୪ ହଜାର ଟଙ୍କା ଏବଂ ୩୦ରୁ ୪୯ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ମାସକୁ ୩ ଶହ ଟଙ୍କା ହିସାବରେ ୧୦ ମାସକୁ ୩ ହଜାର ଟଙ୍କା ବାଟଖର୍ଚ୍ଚ ଦିଆଯିବ । ସେହିପରି ୩୦ ପ୍ରତିଶତରୁ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଖର୍ଚ୍ଚ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।