ମୋଦିଙ୍କ କଡା ଚା ! ପ୍ରଧାନମନ୍ତ୍ରୀ କହିଲେ, ଏଣିକି ଗରିବ ଆଖିକୁ ଆସିବ ଶାନ୍ତିର ନିଦ

30

କନକ ବ୍ୟୁରୋ : ନୋଟକୁ ନେଇ ଓଡିଶା ସମେତ ସାରା ଦେଶ ନୟାନ୍ତ ହେବା ପରେ ମୋଦି ସରକାର କେତେକ କୋହଳ ନୀତି ଆପଣାଇଛନ୍ତି । ଆସନ୍ତା ନଭେମ୍ବର ୨୪ ତାରିଖ ଯାଏଁ ଜରୁରୀକାଳୀନ ସେବା କ୍ଷେତ୍ରରେ ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ପୂର୍ବ ପରି ପ୍ରଚଳନ ହୋଇପାରିବ । ସେପଟେ ଆଉ ଏକ ଘଟଣାକ୍ରମରେ ଆସନ୍ତାକାଲିଠାରୁ ଏଟିଏମରେ ୨ ହଜାର ଟଙ୍କିଆ ନୂଆ ନୋଟ୍ ଆସିବାର ସମ୍ଭାବନା ରହିଛି । ଏଟିଏମରେ ନୂଆ ୫ ଶହ ଟଙ୍କା ରଖିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି ।

ଏଣିକି ଆଉ ବ୍ୟାଙ୍କ କିମ୍ବା ଏଟିଏମ ସାମ୍ନାରେ ଲମ୍ବା ଧାଡି ଲଗାଇବାକୁ ପଡିବ ନାହିଁ । ଲୋକଙ୍କ ସମୟ ବଂଚାଇବାକୁ ଏଭଳି କିଛି ପଦକ୍ଷେପ ଘୋଷଣା କରିଛନ୍ତି ସରକାର । ବ୍ୟାଙ୍କ ଗୁଡିକରେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଅଲଗା ଧାଡିର ବ୍ୟବସ୍ଥା କରିବାକୁ କୁହାଯାଇଛି । ସେହିପରି ପୁରୁଣା ଟଙ୍କା ବଦଳ ଓ ଜମା କିମ୍ବା ଉଠାଣ ପାଇଁ ଅଲଗା ଧାଡିରେ ଛିଡାହେବେ ଲୋକେ । ଭିଡ କମିଲେ ବ୍ୟାଙ୍କ କାରବାର ସହଜ ହେବ ଓ ସୁବିଧାରେ ଲୋକେ ଟଙ୍କା ପାଇପାରିବେ ।

ସେହିପରି ପୁରୁଣା ଟଙ୍କା ବଦଳ ସୀମା ୪ ହଜାରରୁ ବଢାଇ ୪୫୦୦ କରି ଦିଆଯାଇଛି । ଏଣିକି ଦିନକୁ ଲୋକେ ପୁରୁଣା ୫୦୦ ଓ ହଜାରେ ଟଙ୍କିଆ ନୋଟ ବଦଳାଇ ସର୍ବାଧିକ ୪ହଜାର ୫୦୦ ଟଙ୍କା ପାଇପାରିବେ । ବ୍ୟାଙ୍କ ଆକାଉଂଟରୁ ଦିନକୁ ୧୦ ହଜାର ଉଠାଣ ସୀମାକୁ ମଧ୍ୟ ଉଚ୍ଛେଦ କରିଦିଆଯାଇଛି । ସେହିପରି ପୂର୍ବରୁ ଲୋକେ ସପ୍ତାହକୁ ସର୍ବାଧିକ ୨୦ ହଜାର ଟଙ୍କା ଉଠାଇ ପାରିବେ ବୋଲି କଟକଣା ଥିଲା । ଏହାକୁ ବୃଦ୍ଧି କରି ୨୪ ହଜାର କରିଦିଆଯାଇଛି । ଲୋକେ ଅଧିକ ଟଙ୍କା ଉଠାଇ ପାରୁନଥିବାରୁ ଖର୍ଚ୍ଚ କରିବାରେ ହଇରାଣ ହେଉଥିଲେ ।

ଆଗାମୀ ନଭେମ୍ବର ୨୪ ପର୍ଯ୍ୟନ୍ତ ପୁରୁଣା ୫୦୦ ଓ ୧୦୦୦ଟଙ୍କାରେ ପୈଠ କରିହେବ ଅତ୍ୟାବଶ୍ୟକ ସେବା ବିଲ । ପେଟ୍ରୋଲ, ଡିଜେଲ କିଣିବା କିମ୍ବା ଟିକସ ପୈଠ କରିବା ପାଇଁ ପୁରୁଣା ନୋଟ ବ୍ୟବହାର ହେବ । କୋ-ଅପରେଟିଭ ଷ୍ଟୋରରୁ ମଧ୍ୟ ପୁରୁଣା ବଡନୋଟରେ କିଣାକିଣି କରିହେବ । ଆଉଏକ ବଡ ଆଶ୍ୱସ୍ତି ଦେଇଛନ୍ତି ସରକାର । ଆସନ୍ତାବର୍ଷ ଜାନୁଆରୀ ୧୫ ପର୍ଯ୍ୟନ୍ତ ପେନସନଧାରୀ ଦେଇପାରିବେ ଲାଇଫ ସାର୍ଟିଫିକେଟ । ଏବେ ବ୍ୟାଙ୍କଗୁଡିକରେ ଭିଡ ରହୁଥିବାରୁ ବରିଷ୍ଠ ନାଗରିକଙ୍କ ପାଇଁ ଏହି ସମୟ ସୀମା ବୃଦ୍ଧି କରାଯାଇଛି ।

ଏଣିକି ଆଉ ଲୋକଙ୍କୁ ଖୁଚୁରା ନୋଟ ମିଳିବାରେ ସମସ୍ୟା ହେବନାହିଁ । ଦେଶର ସମସ୍ତ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ମିଳିବ ପର୍ଯ୍ୟାପ୍ତ ଖୁଚୁରା ନୋଟ୍ । ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ବ୍ୟାଙ୍କରେ ଖୁଚୁରା ପହଂଚିବା ନେଇ ନିଶ୍ଚିତ କରିବେ । ଏପରିକି ଖୁଚୁରା ନମିଳିଲେ ଜିଲ୍ଲାପାଳ କିମ୍ବା ପ୍ରଶାସନକୁ ଅଭିଯୋଗ କରିହେବ । ସମସ୍ତ ପ୍ରମୁଖ ହସ୍ପିଟାଲରେ ମୋବାଇଲ ବ୍ୟାଙ୍କିଙ୍ଗ ସୁବିଧା କରିବାକୁ କେନ୍ଦ୍ର ସରକାର କହିଛନ୍ତି ।

ଏବେ ଦେଖନ୍ତୁ ଏପର୍ଯ୍ୟନ୍ତ କ’ଣ କରିଛନ୍ତି ସରକାର । ରବିବାର ସୁଦ୍ଧା ବିଭିନ୍ନ ବ୍ୟାଙ୍କରେ ୩ଲକ୍ଷ କୋଟି ଜମା ହୋଇଛି । ଦେଶବାଦୀଙ୍କୁ ପୁରୁଣା ନୋଟ ବଦଳ କରି ୫୦ ହଜାର କୋଟି ପ୍ରଦାନ କରାଯାଇଛି । ଦେଶବ୍ୟାପୀ ବ୍ୟାଙ୍କଗୁଡିକ ୧୮ହଜାର କୋଟି ଦେଣ,ନେଣ କରିଛନ୍ତି ଏବଂ ୧୩ ତାରିଖରେ ନୂଆ ୫୦୦ ଟଙ୍କିଆ ନୋଟ ଦେଶବାସୀଙ୍କୁ ଦିଆଯାଇଛି ।

ସେପଟେ ଲୋକଙ୍କ ଅସନ୍ତୋଷକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସବୁ କାର୍ଯ୍ୟକ୍ରମରେ ଏହି ଅସୁବିଧା ଖୁବଶୀଘ୍ର ଦୂର ହେବ ଏବଂ ଲୋକଙ୍କୁ ଧର୍ଯ୍ୟ ଧରିବାକୁ ଅପିଲ କରୁଛନ୍ତି । ଉତରପ୍ରଦେଶର ଏକ ସାଧାରଣ ସଭାରେ ମୋଦି କହିଛନ୍ତି, ଏହା ତାଙ୍କର ଏକ କଡା ଚା’ ପରି । ମୋଦି କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଗରିବ ଶାନ୍ତିରେ ଶୋଉଛନ୍ତି କିନ୍ତୁ ଧନୀ ନିଦ ପାଇଁ ବଟିକା ଖାଉଛନ୍ତି ।