ପୁରୀରେ ଉଦଘାଟିତ ହେଲା ହବିଷ୍ୟାଳି ଶିବିର ! ଭିଡିଓ କନଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

92

କନକ ବ୍ୟୁରୋ: ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାର ପୁଣି ଦରଦ ଦେଖାଇଛନ୍ତି । ଗତ ବର୍ଷ ‘କାର୍ତ୍ତିକ ହବିଷ ବ୍ରତ ଯୋଜନା’ ଆରମ୍ଭ କରି ଦୁଇ ହଜାର ହବିଷ୍ୟାଳିଙ୍କୁ ମାଗଣା ରହିବା ଓ ଖାଇବା ବନ୍ଦୋବସ୍ତ କରିଥିଲେ । ଏ ବର୍ଷ ତିନି ହଜାର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏବେ ସରକାର ଆଉ ପାଦେ ଆଗକୁ ଯାଇ ହବିଷ୍ୟାଳିଙ୍କ ପାଇଁ ପୁରୀରେ ଏକ ସ୍ୱତନ୍ତ୍ର ୭ ମହଲା ବିଶିଷ୍ଟ କୋଠା ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗତକାଲି ସଚିବାଳୟରେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ କୋଠାର ଭିତ୍ତିପ୍ରସ୍ତର ଦେଇଥିଲେ ।

ସୂଚନା ମୁତାବକ, ନରେନ୍ଦ୍ର କୋଠାରେ ଏହି କୋଠା ନିର୍ମାଣ ହେବ । ଏଥିରେ ଖର୍ଚ୍ଚ ହେବ ୩୯ କୋଟି ଟଙ୍କା । ଏକ ସମୟରେ ୨୦୦୦ ହବିଷ୍ୟାଳି ଏଠାରେ ରହିପାରିବେ । ଏହି ନୂଆ କୋଠାର ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପୁରୀରେ କାର୍ତ୍ତିକ ମାସରେ ବ୍ରତ କରିବାକୁ ଯାଉଥିବା ହଜାର ହଜାର ହବିଷ୍ୟାଳୀ ଏହା ଦ୍ୱାର ଉପକୃତ ହେବେ ବୋଲି ସେ ଆଶାପ୍ରକଟ କରିଛନ୍ତି । ସରକାର ହବିଷ୍ୟାଳୀମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି, ସେସବୁର ସୁଯୋଗ ନେଇ କାର୍ତ୍ତିକ ବ୍ରତ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଦୂର ଜାଗାଗୁଡ଼ିକରେ ଥିବା ହବିଷ୍ୟାଳୀମାନେ ଯେପରି ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ସେ ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ସଚିବାଳୟରେ ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲା ବେଳେ ପୁରୀରେ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ସତ୍ୟବାଦୀ ବିଧାୟକ ଉମାବଲ୍ଲଭ ସାମନ୍ତରାୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଉପସ୍ଥିତ ଥିଲେ ।