ବିଶ୍ୱକପରେ ପାକିସ୍ତାନ ସହ ମ୍ୟାଚ୍ ଖେଳିବ କି ନାହିଁ ଭାରତ ? ସରକାର ନେବେ ଶେଷ ନିଷ୍ପତି

113

ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରଭାବ ଏବେ ସିଧାସଳଖ ବିଶ୍ୱକପ କ୍ରିକେଟ ଉପରେ ପଡିପାରେ । ବିସିସିଆଇ ବୈଠକରେ ଯେଉଁ ନିଷ୍ପତି ହୋଇଛି ତାହାର ପ୍ରଭାବ ସିଧାସଳଖ ବିଶ୍ୱକପର ଭାରତ-ପାକିସ୍ତାନ ମ୍ୟାଚ୍ ଓ ଦ୍ୱିପାକ୍ଷିକ ସିରିଜ ଉପରେ ପଡିପାରେ । ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଦେଶ ସହ ଭବିଷ୍ୟତରେ କ୍ରିକେଟ ନ ଖେଳିବାକୁ ଆଇସିସିକୁ ବିସିସିଆଇ ଚିଠି ଲେଖି ଜଣାଇବ ବୋଲି ବୈଠକରେ ନିଷ୍ୱତି ନିଆଯାଇଛି । ତେବେ ପାକିସ୍ତାନ ସହ ମ୍ୟାଚ୍ ଖେଳାଯିବ କି ନାହିଁ ତାହା ଉପରେ ଏବେ କୌଣସି ନିଷ୍ପତି ନିଆଯାଇ ନାହିଁ ବୋଲି କହିଛନ୍ତି ବିସିସିଆଇର ପ୍ରଶାସନିକ ସମିତି ଅଧ୍ୟକ୍ଷ ବିନୋଦ ରାୟ ।

ପାକିସ୍ତାନ ବିପକ୍ଷ ମ୍ୟାଚ ବହିଷ୍କାର କରିବା ନିଷ୍ପତି ବିସିସିଆଇ ସରକାରଙ୍କ ଉପରେ ଛାଡି ଦିଆଯାଇଛି ଓ ସରକାର ଯାହା ବି ନିଷ୍ପତି ନେବେ ତାହାକୁ ବିସିସିଆଇ ମାନିବ ବୋଲି ବୋର୍ଡର ସିଓଏ ବିନୋଦ ରାୟ କହିଛନ୍ତି । ସରକାରଙ୍କ ସହ ଆଲୋଚନା ପରେ ଏନେଇ କୌଣସି ନିଷ୍ପତି ନିଆଯିବ । ବିଶ୍ୱକପକୁ ଆହୁରି ୩ ମାସ ସମୟ ବାକି ଥିବା ବେଳେ ଆଇସିସିର ବୈଠକରେ ବିସିସିଆଇ ପାକିସ୍ତାନକୁ ନେଇ ନିଜର ସମସ୍ୟା ଜଣାଇବ ବୋଲି ବିନୋଦ ରାୟ କହିଛନ୍ତି ।

ଭାରତ ଓ ପାକିସ୍ତାନ ମଧ୍ୟରେ ଜୁନ୍ ୧୬ରେ ବିଶ୍ୱକପର ଲିଗ୍ ମ୍ୟାଚ୍ ଖେଳାଯିବାକୁ ସ୍ଥିର କରାଯାଇଛି । ପାକିସ୍ତାନ ବିପକ୍ଷ ରାଉଣ୍ଡ ରବିନ୍ ମ୍ୟାଚ୍ ଭାରତ ବହିଷ୍କାର କଲେ, ଉଭୟ ଆଇସିସି ଓ ବିଜ୍ଞାପନ କମ୍ପାନିକୁ ପ୍ରବଳ ମାତ୍ରାରେ ଆର୍ଥିକ କ୍ଷତି ସହିବାକୁ ପଡିପାରେ । ଏହାଛଡା ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚ ନ ଖେଳିଲେ ଏଭଳି ସ୍ଥିତିରେ ପାକିସ୍ତାନକୁ ବିଜୟୀ ଘୋଷିତ କରାଯିବ । ମିଳିଥିବା ସୂଚନା ଅନୁଯାୟୀ, ସରକାର ଚାହୁଁଛନ୍ତି ନକଆଉଟ ପର୍ଯ୍ୟାୟରେ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚକୁ ବହିଷ୍କାର କରୁ ଭାରତ ।

ଏହାପୂର୍ବରୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ହରଭଜନ ସିଂ ମଧ୍ୟ ପାକିସ୍ତାନ ବିପକ୍ଷ ରାଉଣ୍ଡ ରବିନ ମ୍ୟାଚକୁ ଭାରତ ବହିଷ୍କାର କରୁ ବୋଲି ଦାବି କରି ଆସୁଛନ୍ତି । ଗାଙ୍ଗୁଲିଙ୍କ କହିବା ଅନୁଯାୟୀ, ୧୦ଟି ଟିମକୁ ନେଇ ବିଶ୍ୱକପ ଖେଳାଯିବ । ପ୍ରତ୍ୟେକ ଅନ୍ୟ ୯ଟି ଟିମ୍ ସହ ରାଉଣ୍ଡ ରବିନ ମ୍ୟାଚ୍ ଖେଳିବେ । ତେଣୁ ଭାରତ ରାଉଣ୍ଡ ରବିନ ମ୍ୟାଚରେ ପାକିସ୍ତାନ ସହ ଯଦି ନ ଖେଳେ ତେବେ ମଧ୍ୟ ଭାରତୀୟ ଟିମ୍ ଉପରେ ସେଭଳି କୌଣସି ପ୍ରଭାବ ପଡିବ ନାହିଁ ।