କନକ ବ୍ୟୁରୋ :  ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ସୁଦୃଢ଼ୀକରଣ ପାଇଁ ସରକାରୀ ସ୍କୁଲଗୁଡ଼ିକୁ ବଞ୍ଚାଇ ରଖିବା ଅବଶ୍ୟମ୍ଭାବୀ । ଆଲାହାବାଦ୍‌ ହାଇକୋର୍ଟଙ୍କ ଐତିହାସିକ ଆଦେଶନାମା ଏହାର ଦିଗବାରେଣୀ ଭାବେ ବିବେଚନା କରାଯାଉଛି । ହାଇକୋର୍ଟ ଆଦେଶ ମୁତାବକ ସରକାରୀ ସ୍କୁଲରେ ରାଜନେତା, ଆଇଏଏସ୍‌ ତଥା ଅଫିସର(ବାବୁ)ଙ୍କ ପିଲାଙ୍କୁ ପଢ଼ିବା ପାଇଁ ପଠାଯାଉ । ଅବଶ୍ୟ ଏ ନେଇ ଆଇନଗତ ବାଧ୍ୟବାଧକତା ନାହିଁ । କିନ୍ତୁ ଏଭଳି ପଦକ୍ଷେପ ନେଲେ, ରାଜ୍ୟର କ୍ରମକ୍ଷୟିଷ୍ଣୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ମୁଣ୍ଡ ଟେକି ଉଠିପାରିବ । ପ୍ରାଥମିକ ଶିକ୍ଷାର ବୋଝ ଗରିବ ଲୋକଙ୍କୁ ବୋହିବାକୁ ପଡ଼ିବନାହିଁ । ସରକାରୀ ସ୍କୁଲ ପିଣ୍ଡାକୁ ସବୁ ପିଲା ଉଠି ପାଠ ପଢ଼ିବେ । ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରି ସବୁ ପିଲାଙ୍କୁ ଶିକ୍ଷାଦାନ କରିବା ହେଉଛି ସରକାରଙ୍କ ମୌଳିକ ତଥା ସାମ୍ବିଧାନିକ ଦାୟିତ୍ୱ ।

ଏଥିରେ ରାଜ୍ୟ ସରକାର ଚରମ ବିଫଳ । ଏହାର ପ୍ରତିଫଳନ–ପ୍ରତିବର୍ଷ ସରକାରୀ ସ୍କୁଲଗୁଡ଼ିକରୁ ପିଲା ସଂଖ୍ୟା କମୁଛି । ସେ ପଟେ ବଢ଼ୁଛି ଘରୋଇ ସ୍କୁଲ୍‌ ଏବଂ ସେଥିରେ ପଢ଼ୁଥିବା ପିଲାଙ୍କ ସଂଖ୍ୟା । ଏହା ସତ୍ୟ ଯେ ଇଂରାଜୀ ଶିକ୍ଷା ପ୍ରତି ଅହେତୁକ ଆକର୍ଷଣ, ସରକାରୀ ସ୍କୁଲଗୁଡ଼ିକରେ ନିମ୍ନତମ ଭିିତ୍ତିଭୂମିର ଅଭାବ, ଶିକ୍ଷକ ମରୁଡ଼ି, ଖସଡ଼ାହୀନ ଶିକ୍ଷାଦାନ, ବିଶୃଙ୍ଖଳା ଆଦି ସମସ୍ୟା ଘେରି ରହିଛି । ଫଳରେ ଘରୋଇ ସ୍କୁଲଗୁଡ଼ିକୁ ଅଧିକାଂଶ ଅଭିଭାବକ ଧାଇଁବାକୁ ବାଧ୍ୟ ହେଉଛନ୍ତି । ଏଭଳି ପରିସ୍ଥିତି ଶିକ୍ଷାର ଘରୋଇକରଣ ପାଇଁ ବାଟ କଢ଼େଇ ନେଉଛି ।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତଥ୍ୟ ବୟାନ କରୁଛି, ୨୦୦୯-୧୦ରେ ପ୍ରଥମ ଶ୍ରେଣୀଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୬ ଲକ୍ଷ ୨୧ ହଜାର ୭୪୧ଜଣ ପିଲା ପଢ଼ୁଥିଲେ । ସେଥିମଧ୍ୟରୁ ସରକାରୀ ସ୍କୁଲରେ ଅଧ୍ୟୟନ କରୁଥିବା ପିଲାଙ୍କ ସଂଖ୍ୟା ୬୦ ଲକ୍ଷ ୭୨ ହଜାର ୫୮୦ ଏବଂ ଘରୋଇ ସ୍କୁଲରେ ୫ ଲକ୍ଷ ୪୯ହଜାର ୧୬୧ ଥିଲା । ଘରୋଇ ସ୍କୁଲର ପିଲାଙ୍କ ପ୍ରତିଶତ ଥିଲା ୮.୨୯। ୨୦୧୬-୧୭ରେ ମୋଟ ପିଲାଙ୍କ ସଂଖ୍ୟା ୬୧ ଲକ୍ଷ ୯୮ ହଜାର ୨୫କୁ କମିଛି । ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ସଂଖ୍ୟା ପହଞ୍ଚିଛି ୫୧ ଲକ୍ଷ ୫୮ ହଜାର ୯୦୫ରେ। ଘରୋଇ ସ୍କୁଲର ପିଲାଙ୍କ ସଂଖ୍ୟା ୫.୪୯ ଲକ୍ଷରୁ ପ୍ରାୟ ଦୁଇଗୁଣ ବୃଦ୍ଧି ପାଇ ୧୦ ଲକ୍ଷ ୩୯ ହଜାର ୧୨୦ରେ ପହଞ୍ଚିଛି । ବର୍ତମାନ ସରକାରୀ ସ୍କୁଲ ତୁଳନାରେ ଘରୋଇ ସ୍କୁଲ ପିଲାଙ୍କ ସଂଖ୍ୟାରେ ୧୬.୭୭ ପ୍ରତିଶତ ବୃଦ୍ଧି ପାଇଛି । କିନ୍ତୁ ଗତ ୮ବର୍ଷରେ ଘରୋଇ ସ୍କୁଲ ପିଲାଙ୍କ ସଂଖ୍ୟାରେ ୧୦୨.୨୯ ପ୍ରତିଶତ ବୃଦ୍ଧି ଘଟିଛି । ଏଭଳି ସରକାରୀ ତଥ୍ୟ ସରକାରୀ ସ୍କୁଲଗୁଡ଼ିକ ପାଇଁ ବିପଦ ଘନେଇ ଆସୁଥିବାର ସୂଚନା ଦେଉଛି ।

୨୦୧୦-୧୧ରୁ ୨୦୧୬-୧୭ ବର୍ଷ ମଧ୍ୟରେ ପିଲା ସଂଖ୍ୟା ନେଇ ସରକାରୀ ଓ ଘରୋଇ ସ୍କୁଲ ମଧ୍ୟରେ ଏକ ତୁଳନାତ୍ମକ ପରିସଂଖ୍ୟାନ ନଜରକୁ ଆସିଛି । ଏହି ତଥ୍ୟ ବୟାନ କରୁଛି, ୨୦୧୬-୧୭ ବେଳକୁ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ, କେନ୍ଦ୍ରୀୟ ଆଦି ସମସ୍ତ ସ୍କୁଲରେ ପଢ଼ୁଥିବା ପିଲାଙ୍କ ସଂଖ୍ୟା ୫୯ ଲକ୍ଷ ୯୮ ହଜାର ୮୨ ରହିଛି । ଏଥିମଧ୍ୟରୁ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ୫୦ ଲକ୍ଷ ୨୫ ହଜାର ୫୬୯ ଥିବା ବେଳେ କେନ୍ଦ୍ରୀୟ ସ୍କୁଲ ସମେତ ଘରୋଇ ପିଲାଙ୍କ ସଂଖ୍ୟା ୯ ଲକ୍ଷ ୭୨ ହଜାର ୫୧୩କୁ ବୃଦ୍ଧି ପାଇଛି । ଅନୁଦାନପ୍ରାପ୍ତ ସମେତ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ୭୯.୫୦ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଘରୋଇ ସ୍କୁଲରେ ୧୬୨.୨୨ ପ୍ରତିଶତ ଏବଂ କେନ୍ଦ୍ରୀୟ ସ୍କୁଲରେ ୩୯୬.୪୬ ପ୍ରତିଶତ ବୃଦ୍ଧି ପାଇଛି ।

ଏହି ପରିସଂଖ୍ୟାନଗତ ତୁଳନାରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରତି ବର୍ଷ ସରକାରୀ ସ୍କୁଲରୁ ପିଲାଙ୍କ ସଂଖ୍ୟା ଯେଉଁ ଅନୁପାତରେ କମୁଛି, ତା’ଠାରୁ ଅଧିକ ହାରରେ ବଢ଼ୁଛି ଘରୋଇ ସ୍କୁଲ ପିଲାଙ୍କ ସଂଖ୍ୟା । ମଧ୍ୟାହ୍ନ ଭୋଜନ, ମାଗଣା ୟୁନିଫର୍ମ ଏବଂ ମାଗଣା ପାଠ୍ୟପୁସ୍ତକ ଭଳି ବିଭିନ୍ନ ଯୋଜନାରେ ସରକାର ବିପୁଳ ଅର୍ଥ ବ୍ୟୟ କରୁଛନ୍ତି । ବଜେଟରେ ଶିକ୍ଷା ବାବଦରେ ଅର୍ଥ ବରାଦ ବି ବୃଦ୍ଧି ହୋଇଛି । ଏହା ସତ୍ତ୍ୱେ ସବୁ ପିଲାଙ୍କୁ ସ୍କୁଲକୁ ଆକର୍ଷିତ କରିପାରୁନାହାନ୍ତିି ସରକାର। ଯୋଜନାରେ ତ୍ରୁଟି, ବାରମ୍ବାର ନୀତିନିୟମ ଅଦଳବଦଳ, ସ୍କୁଲ ଭିତ୍ତିଭୂମି, ଶିକ୍ଷକ ଅଭାବ ଆଦି ସାଧାରଣତଃ ଦାୟୀ । ବିଶେଷ କରି ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାରୀ ଆଇନର କାର୍ଯ୍ୟାନ୍ଵୟନ ସଠିକ୍‌ ଭାବେ ହୋଇପାରୁନଥିବା ଅନ୍ୟତମ ବଡ଼ କାରଣ । ଏହି ଆଇନ, ୨୦୦୯ର କାର୍ଯ୍ୟକାରିତା ପାଇଁ ସରକାରଙ୍କୁ ପ୍ରତି ପିଲା ପାଇଁ ୨୪.୭୦୧ ଟଙ୍କା ଖର୍ଚ କରିବାକୁ ହେବ । କିନ୍ତୁ ଏ ବାବଦରେ ଖର୍ଚ ହେଉଛି ପ୍ରାୟ ୫୫୯୫ ଟଙ୍କା । ଏହା କେବଳ ପ୍ରାଥମିକ ଶିକ୍ଷା ନିମନ୍ତେ ନୁହେଁ, ଓଡ଼ିଆ ଭାଷାର ବର୍ତମାନ, ଭବିଷ୍ୟତ ପ୍ରତି ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରୁଛି ।