ସରକାରୀ ବିଦ୍ୟାଳୟ ପରିସରରେ ଚାଲିଛି ବେସରକାରୀ ସ୍କୁଲ ! ସକାଳ ୧୦ଟା ପରିବର୍ତ୍ତେ ୧୧ଟାରେ ଆରମ୍ଭ ହେଉଛି ପାଠପଢା । କୈାଣସି ସୂଚନା ନଥିବା କହିଲେ ବିଡିଓ

43

କନକ ବ୍ୟୁରୋ : ସରକାରୀ ବିଦ୍ୟାଳୟ ପରିସରରେ ଚାଲିଛି ବେସରକାରୀ ବିଦ୍ୟାଳୟ ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ୩ଟି ସରକାରୀ ବିଦ୍ୟାଳୟ କ୍ୟାମ୍ପସରେ ଏହି ବିଚିତ୍ର ଶିକ୍ଷାବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି । ରାଜନଗର ବ୍ଲକ କେରୁଆଁପାଳ ପଂଚାୟତ ଦେଉଳସାହି ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ମଧ୍ୟରେ ୧୭୬ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି । ୮ଟି ଶ୍ରେଣୀରେ ଛାତ୍ର ଛାତ୍ରୀଙ୍କ ପାଠ ପଢିବା ପାଇଁ ବିଦ୍ୟାଳୟରେ ମାତ୍ର ୩ଟି ଶ୍ରେଣୀଗୃହ ରହିଛି । ସରକାରୀ ବିଦ୍ୟାଳୟ ସଠିକ ଭାବରେ ପରିଚାଳିତ ହୋଇ ପାରୁନଥିବା ନେଇ ଅଭିଯୋଗ ଆସେ । ତେବେ ସରକାରୀ ବିଦ୍ୟାଳୟରେ ବେସରକାରୀ ବିଦ୍ୟାଳୟ ଚାଲୁଥିବା ଘଟଣା ସାମନାକୁ ଆସିବା ପରେ ସାରା ଅଞ୍ଚଳରେ ଏହା ଆଲୋଡନର ବିଷୟ ହୋଇଛି । କେବଳ ଏତିକି ନୁହେଁ ବରଂ ବିଦ୍ୟାଳୟ କ୍ୟାମ୍ପସରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ସାଇନବୋର୍ଡ ମରାଯାଇ ବେଧଡକ ଭାବେ ଚାଲିଛି ଏହି ବେସରକାରୀ ବିଦ୍ୟାଳୟ । ଶ୍ରେଣୀଗୃହ ଅଭାବରୁ ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢୁଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳୀକୁ ଜବରଦଖଲ କରାଯାଇ ଚାଲିଛି ବେସରକାରୀ ବିଦ୍ୟାଳୟ ।

 

ଦୀର୍ଘଦିନ ହେଲା ବିଦ୍ୟାଳୟ ପରିସରରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ବିଦ୍ୟାଳୟର ଶ୍ରେଣୀ ଗୃହରେ ବ୍ୟବହାର କରାଯାଉଥିଲା । ମାତ୍ର ୨ ବର୍ଷ ହେଲା ବିଦ୍ୟାଳୟ କ୍ୟାମ୍ପସରେ ଉତ୍କଳମଣୀ ଶିଶୁ ଶିକ୍ଷାକେନ୍ଦ୍ର ନାଁରେ ବେସରକାରୀ ବିଦ୍ୟାଳୟ ଖୋଲାଯାଇଛି । ବେସରକାରୀ ବିଦ୍ୟାଳୟର ମାଲିକ ବାତ୍ୟା ଆଶ୍ରୟସ୍ଥଳୀ ନିଜ କବଜାକୁ ନେଇଛନ୍ତି । ଫଳରେ ଛାତ୍ର ଛାତ୍ରୀମାନେ ଶ୍ରେଣୀ ଗୃହରେ ଗେଜିଂ ହୋଇ ବସୁଛନ୍ତି । ଦିନ ୧୧ଟା ରେ ବେସରକାରୀ ବିଦ୍ୟାଳୟ ଛୁଟି ହେବା ପରେ ସରକାରୀ ବିଦ୍ୟାଳୟର ୬ଷ୍ଠ ରୁ ୮ମ ଶ୍ରେଣୀ ଯାଏଁ ଛାତ୍ର ଛାତ୍ରୀ ମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ପାଠ ପଢୁଛନ୍ତି । ତେବେ ଏପରି ଅଭିଯୋଗ ଆସିବା ପରେ ସ୍ଥାନୀୟ ପ୍ରଶାସନ ଚିନ୍ତାରେ ରହିଛି । ତେବେ ଏ ବିଷୟରେ ବିଡିଓ କହିଛନ୍ତି ଯେ, ମୋ ପାଖରେ ଏନେଇ କୈାଣସି ସୂଚନା ମିଳିପାରିନାହିଁ ।

 

ଯଦି ଏପରି ହୋଇଥିବା ତାହାର ତଦନ୍ତ କରାଯିବ । ତେବେ ସରକାରୀ ବିଦ୍ୟାଳୟରେ ବେସରକାରୀ ବିଦ୍ୟାଳୟ ଚାଲୁଥିବା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିନ୍ତି ଯେ, ସେମାନଙ୍କୁ କିଏ କେଉଁ ପରିସ୍ଥିତିରେ ଅନୁମତି ଦେଲା ତାହା ମତେ ଜଣାନାହିଁ । କିନ୍ତୁ ସବୁଠାରୁ ଅସୁବିଧା ହେଉଛି ଶନିବାର ଦିନ । କାରଣ ସେମାନେ ପ୍ରତ୍ୟେକ ସମୟରେ ସକାଳୁଆ ସ୍କୁଲ କରୁଥିବା ବେଳେ ସରକାରଙ୍କ ନିୟମ ଅନୁସାରେ ସରକାରୀ ସ୍କୁଲ ସକାଳୁଆ ହେଉଛି । ତେଣୁ ଆମ ପିଲା ଓ ତାଙ୍କ ପିଲା ମିଶିଯିବାରୁ ଅନେକ ପ୍ରକାର ଅସୁବିଧା ହେଉଛି । ତେଣୁ ଯଥାଶୀଘ୍ର ବେସରକାରୀ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ଦାବି କରିଛନ୍ତି ।