ବମିଖାଲରୁ ବାଦ୍ ପଡିଲା ପଣ୍ଡା ଇନଫ୍ରା ! ଆଉ ଓଭରବ୍ରିଜ୍ କାମ କରିବନି ଠିକା ସଂସ୍ଥା ।

48

କନକ ବ୍ୟୁରୋ : ଦୁଇ ଦୁଇଟି ଜୀବନ ନେଇଥିବା ଠିକା ସଂସ୍ଥା ପଣ୍ଡା ଇନଫ୍ରାକୁ ବମିଖାଲ ଓଭରବ୍ରିଜ୍ ନିର୍ମାଣ କାମରୁ ବାଦ ଦିଆଯାଇଛି । ଓଭରବ୍ରିଜର ବଳକା ନିର୍ମାଣ କାମରୁ ଆଜି ଠିକା ସଂସ୍ଥାକୁ ବାଦ ଦେଇଛି ପୂର୍ତ ବିଭାଗ । ଓଭରବ୍ରିଜର ବାକି ଥିବା କାମ, ଆଉ କରିବନି ପଣ୍ଡା ଇନଫ୍ରା । ୭ ମାସ ତଳେ ଜଣେ ସାଧାରଣ ନାଗରିକ ଏବଂ ଏବେ ଜଣେ ଶ୍ରମିକଙ୍କ ମୃତ୍ୟୁ ପାଇଁ ପଣ୍ଡା ଇନଫ୍ରାର ଅବହେଳାକୁ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି ପୂର୍ତ ସଚିବ ।

ପୂର୍ତ ବିଭାଗ ସଚିବ କହିଛନ୍ତି, ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ଦୁଇ ତିନ ଦିନ ଭିତରେ କାହାକୁ କାମ ଦିଆଯିବ , ସେନେଇ ନିଷ୍ପତି ନିଆଯିବ । ୨ ମାସ ଭିତରେ ନିର୍ମାଣ କାମ ସରିବ । ତେବେ ବ୍ୟୟବରାଦ ଆହୁରି ୪ରୁ ୫ କୋଟି ବୃଦ୍ଧି ପାଇବ । କାମ ସଂପୂର୍ଣ୍ଣ ହେବା ପରେ ତୃତୀୟ ପକ୍ଷ ପୋଲର ଯାଂଚ କରିବେ ।

ବୋମିଖାଲ ଓଭରବ୍ରିଜ ସମେତ ଭୁବନେଶ୍ୱରର ପୋଖରୀପୁଟ ଅଂଚଳରେ ଏକ ଫ୍ଲାଏଓଭର ନିର୍ମାଣ କରୁଛି ପଣ୍ଡା ଇନଫ୍ରା । ଏହି ବ୍ରିଜ୍ କାମ ମଧ୍ୟ ଜାରି ରହିଛି । ସେହିପରି ଜଟଣୀରେ ଏହି ଠିକା ସଂସ୍ଥା ଏକ ଓଭରବ୍ରିଜ ନିର୍ମାଣ କରୁଛି । ସମ୍ବଲପୁରରେ ପଣ୍ଡା ଇନଫ୍ରା କରୁଛି ଆଉ ଏକ ବଡ ବ୍ରିଜ୍ ନିର୍ମାଣ । ତେବେ ବ୍ରିଜର ମାନ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ବମିଖାଲ ଓଭରବ୍ରିଜରେ ଦୁଇ ଦୁଇଥର ଦୁର୍ଘଟଣା ପରେ ଏବେ ଏସବୁର ନିର୍ମାଣ ଉପରେ ପ୍ରଶ୍ନ ଉଠିଛି ।