୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ହେବା ନେଇ କୌଣସି ଯୋଜନା ନାହିଁ । ଲୋକସଭାରେ ସ୍ପଷ୍ଟ କଲେ ସରକାର

31

ଦେଶରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି. ରାଧାକୃଷ୍ଣନ କହିଛନ୍ତି ଯେ ୨୦୦୦ ଟଙ୍କା ନୋଟ ପ୍ରଚଳନ ବନ୍ଦ ନେଇ ସରକାରଙ୍କ କୌଣସି ଯୋଜନା ନାହିଁ ।

୨୦୧୬ ନଭେମ୍ବର ୮ ତାରିଖରେ ମୋଦି ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ଅଚଳ ଘୋଷଣା କରିଦେବା ପରେ ତାହା ସ୍ଥାନରେ ନୂଆ ନୂଆ ୨ ହଜାର ଏବଂ ୫ ଶହ ଟଙ୍କିଆ ନୋଟ୍ ପ୍ରଚଳନ କରିଥିଲେ। ତେବେ ସରକାର ପ୍ରଥମ ଥର ପାଇଁ ୨ ହଜାର ଟଙ୍କିଆ ନୋଟକୁ ପ୍ରଚଳନ କରିଥିବା କାରଣରୁ ଏହାକୁ ପରେ ପ୍ରତ୍ୟାହାର କରିନେବେ ବୋଲି ବିଭିନ୍ନ ମହଲରେ ଆଲୋଚନା ଚାଲିଥିଲା ।

ଆଉ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ୨୦୦୮ରୁ ୨୦୧୪ ମଧ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକ ମନଇଚ୍ଛା ଋଣ ପ୍ରଦାନ କରିଥିବାରୁ ଆଜି ବ୍ୟାଙ୍କମାନଙ୍କ ଅବସ୍ଥା ଚାପରେ ରହିଛି । ଏହି ୬ ବର୍ଷରେ ବ୍ୟାଙ୍କଗୁଡିକର ମୋଟ ଋଣ ପ୍ରଦାନ ଅସ୍ୱାଭାବିକଭାବେ ୧୮.୨ ଲକ୍ଷ କୋଟିରୁ ବୃଦ୍ଧି ପାଇ ୫୨.୧୬ ଲକ୍ଷ କୋଟିରେ ପହଞ୍ଚିଥିଲା ।