ଯେବେ ଥରିଉଠିଥିଲା ପାକିସ୍ତାନ, ନୂଆ ଭିଡିଓରେ ଭାରତୀୟ ସେନାର ପରାକ୍ରମ ଦେଖିଲା ପୂରା ବିଶ୍ୱ।ଦେଖନ୍ତୁ ଆକ୍ରମଣର ଲାଇଭ ଭିଡିଓ

30

କନକ ବ୍ୟୁରୋ : ଆଉ ଦୁଇ ଦିନ ପରେ ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକକୁ ଦୁଇ ବର୍ଷ ପୂରିବ । ଏହି ଗୌରବମୟ ସଫଳତାକୁ ଉତ୍ସବ ଭଳି ପାଳନ କରିବା ପାଇଁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଆସନ୍ତାକାଲି ଠାରୁ ୩ଦିନ ଧରି ପରାକ୍ରମର ପର୍ବ ନାଁରେ ଦେଶର ୫୧ଟି ସହରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯେଉଁଥିରେ ଭାରତୀୟ ଯବାନଙ୍କ ସାହାସିକତାକୁ ବର୍ଣ୍ଣନା କରାଯିବ । ଆଉ ଏହି କାର୍ଯ୍ୟକ୍ରମର ଠିକ୍ ପୂର୍ବରୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ୨୦୧୬ ସର୍ଜିକାଲ ଷ୍ଟ୍ରାଇକର ଆଉ କିଛି ନୂଆ ଭିଡିଓ ।


ଦୁଇ ବର୍ଷ ତଳେ ଯେତେବେଳେ ଶତ୍ରୁ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ ମାଧ୍ୟମରେ ପରାକ୍ରମର ପ୍ରମାଣ ଦେଇଥିଲେ ଭାରତୀୟ ଯବାନ । ପାକ୍ ସେନାର ଆଖି ଆଢୁଆଳରେ ଭାରତୀୟ ଯବାନ ଏଭଳି ଏକ ଅପରେସନ୍ କରିଥିଲେ ଯେ, ଶତ୍ରୁ ପକ୍ଷ ଆଖି ଖୋଲିଲା ବେଳକୁ ଧ୍ୱସ୍ତବିଧ୍ୱସ୍ତ ହୋଇ ସାରିଥିଲା ଆତଙ୍କବାଦୀଙ୍କ ଠିକଣା । ନିଶ୍ଚିହ୍ନ ହୋଇଯାଇଥିଲା ସବୁ କିଛି ।

ସର୍ଜିକାଲ ଷ୍ଟ୍ରାଇକକୁ ୨ବର୍ଷ ପୂର୍ତୀର ଠିକ୍ ଦୁଇ ଦିନ ପୂର୍ବରୁ ରକ୍ଷାମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏହି ସାହାସୀ ଅପରେସନର ଆଉ କିଛି ଭିଡିଓ ଏବଂ ଫଟୋ । ଯେଉଁଥିରେ ଭାରତୀୟ ଯବାନମାନେ ପାକ୍ ଅଧିକୃତ କାଶ୍ମୀରରେ ପଶି ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଜୋରଦାର ହମଲା କରୁଛନ୍ତି । ଆଉ ଏହି ଅପରେସନର ଦୁଇବର୍ଷ ପୂର୍ତୀ ଉପଲକ୍ଷେ କେନ୍ଦ୍ର ସରକାର, ପରାକ୍ରମର ପର୍ବ ନାଁରେ ଏକ ତିନି ଦିନିଆ କାର୍ଯ୍ୟକ୍ରମ ଦେଶବ୍ୟାପୀ ଆୟୋଜନ କରୁଛନ୍ତି ।

୨୮ ସେପ୍ଟେମ୍ବର ୨୦୧୬ । ପାକ୍ ଅଧିକୃତ କାଶ୍ମୀରରେ ଅଚାନକ ଶୁଭିଥିଲା ଗୁଳିଗୋଳାର ଶବ୍ଦ । ମଧ୍ୟରାତ୍ରୀରେ ସୀମା ଡେଇଁ ଭାରତୀୟ ଯବାନ ପହଂଚି ଯାଇଥିଲେ ସେଇ ସବୁ ଠିକଣାକୁ ଯେଉଁଠୁ ପ୍ରସ୍ତୁୁତ ହେଉଥିଲା ଆତଙ୍କବାଦୀ ଆକ୍ରମଣର ନକ୍ସା । ଉରୀ ଆକ୍ରମଣର ଆଘାତ୍ ଭାରତୀୟ ଯବାନଙ୍କୁ ଏମିତି ବିବ୍ରତ କରିଥିଲା ଯେ, ଠିକଣା ସମୟରେ, ଠିକଣା ଜାଗାରେ ଜବାବ୍ ଦେବାକୁ ନିଷ୍ପତି ନେଇଥିଲା ଭାରତ । ଆଉ ୨୯ ସେପ୍ଟେମ୍ବର ସକାଳ ପାଇଲା ବେଳକୁ ଦୁନିଆ ଆଗରେ ଖୋଲି ଯାଇଥିଲା ପାକିସ୍ତାନର ଅସଲ ମୁଖା । କାରଣ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉନାହିଁ ବୋଲି ପାକିସ୍ତାନ ଯେଉଁ ମୁହଁ ଫୁଟାଣି ମାରୁଥିଲା ତାହାର ପ୍ରକୃତ ସତ୍ୟତା ପୂରା ଦୁନିଆ ଜାଣିଥିଲା । ପାକିସ୍ତାନ ମାଟିରେ ପଡି ରହିଥିଲା ଆତଙ୍କବାଦୀଙ୍କ ମୃତଦେହ । ଆଉ ଏପଟେ ଏହି ଅପରେସନର ସଫଳତା ନେଇ ଖୁସି ମନାଉଥିଲେ ପୂରା ଦେଶ ।