ଆଗୁଆ ନିର୍ବାଚନକୁ ଯିବେ ମୋଦି । ନିଷ୍ପତି ଦେଉଛି ବଡ ସଂକେତ । ପ୍ରଥମେ ଅନାସ୍ଥା ଏବେ ଜିଏସଟି

39

କନକ ବ୍ୟୁରୋ : ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ସାଧାରଣ ଲୋକଙ୍କୁ ବଡ ଉପହାର ଦେଇଛନ୍ତି ମୋଦି ସରକାର । ପାଖାପାଖି ୩୨୦ ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରି ଗ୍ରାହକଙ୍କୁ ଦେଇଛନ୍ତି ବଡ ଆଶ୍ୱସ୍ତି । ଆଉ ଏହି ୩୨୦ ସାମଗ୍ରୀ ମଧ୍ୟରେ ୧୦୦ଟି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ରହିଛି ଯାହା ସାଧାରଣ ଜନତାଙ୍କ ପାଇଁ ଖୁସି ଖବର ଆଣିଛି । ଶନିବାର ଜିଏସଟି କାଉନସିଲରେ ମୋଦି ସରକାରଙ୍କ ଏହି ନିଷ୍ପତି ପରେ ପୁଣିଥରେ ଆଗୁଆ ସାଧାରଣ ନିର୍ବାଚନର ସଙ୍କେତ ମିଳିଛି । ଯେପରି ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କୁ ଖୁସି କରିବାକୁ ସରକାର ବିଭିନ୍ନ ଯୋଜନାର ଘୋଷଣା କରିଥାନ୍ତି ଠିକ୍ ସେହିଭଳି ଆଗୁଆ ନିର୍ବାଚନର ଚର୍ଚ୍ଚା ଚାଲିଥିବା ବେଳେ ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ଉପରୁ ଜିଏସଟି ଦର ହ୍ରାସ କରି ମୋଦି ସରକାର ପୁଣିଥରେ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି ।

ଆଗୁଆ ହେବ କି ସାଧାରଣ ନିର୍ବାଚନ? ଆଉ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି କି ମୋଦି ସରକାର । ଏକଥା ଏଥିପାଇଁ ଉଠୁଛି କାରଣ ସାଧାରଣ ଲୋକଙ୍କୁ ଖୁସି କରିବାକୁ ମୋଦି ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଆଗୁଆ ନିର୍ବାଚନ ଆଡକୁ ଇସାରା କରୁଛି । ଏକାଥରକେ ୩୨୦ଟି ସାମଗ୍ରୀରୁ ଜିଏସଟି ହ୍ରାସ କରି ସାଧାରଣ ଲୋକଙ୍କୁ ମହଙ୍ଗା ବୋଝରୁ ଆଶ୍ୱସ୍ତି ଦେଇଛନ୍ତି । ଆଉ ଏହା ସରକାରଙ୍କ ନିର୍ବାଚନ ପୂର୍ବର ଉପହାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଗୋଟିଏ ପଟେ ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ସଂସଦରେ କାଟ୍ ଖାଇବା ପରେ ବିଜେପି ଶିବିର ଉତ୍ସାହିତ ହୋଇପଡିଛି । ଏପରିକି ଏହି ଅନାସ୍ଥା ପ୍ରସ୍ତାବ ଭୋଟିଂ ସମୟରେ ବିଜେପି ନିଜର ଶକ୍ତି ପରୀକ୍ଷଣ କରି ସାରିଛି । ଦଳ ନିକଟରେ ଏବେ ମଧ୍ୟ ୩୨୫ ଜଣ ସଦସ୍ୟଙ୍କ ସମର୍ଥନ ରହିଛି । ତେବେ କେନ୍ଦ୍ର ସରକାରଙ୍କ ହାତ ଦିନକୁ ଦିନ ଗୋଟିଏ ଲେଖାଏଁ ଦଳ ଛାଡୁଥିବା ବେଳେ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହୁଁନାହିଁ ବିଜେପି । ୨୦୧୯ ପୂର୍ବରୁ ସରକାର ବିରୋଧୀ ହାୱା ସୃଷ୍ଟି ହେବା ପୂର୍ବରୁ ଆଗୁଆ ନିର୍ବାଚନ କରି ସେଫ୍ ଜୋନରେ ରହିବା ଲକ୍ଷ୍ୟରେ ରହିଛି ବିଜେପି । କାରଣ ଏବେ ମଧ୍ୟ ଦେଶର ଜନସାଧରଣଙ୍କ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା କମ ହୋଇନାହିଁ । ତେଣୁ ଏଭଳି ସୁଯୋଗକୁ ମଧ୍ୟ ହାତଛଡା କରିବାକୁ ଚାହୁଁ ନାହାନ୍ତି ଦଳୀୟ ନେତୃବୃନ୍ଦ ।

ଗୋଟିଏ ପଟେ ମୋଦିଙ୍କ ନେତୃତ୍ୱ ଓ ଅନ୍ୟପଟେ ରାହୁଲଙ୍କ ନେତୃତ୍ୱରେ ସଂଗଠିତ ବିରୋଧୀ ମେଣ୍ଟ । ୨୦୧୯ରେ ମୋଦିଙ୍କ ବିଜୟ ରଥ ରୋକିବାକୁ ବିରୋଧୀ ଦଳ ଗୁଡିକୁ ସଂଗଠିତ କରୁଛନ୍ତି ରାହୁଲ । ତେଣୁ ଦେଶରେ ସରକାର ବିରୋଧୀ ହାୱା ସୃଷ୍ଟି ହେବା ପୂର୍ବରୁ ପୁଣିଥରେ ଗେରୁଆ ବାନା ଉଡାଇବା ଲକ୍ଷ୍ୟରେ ବିଜେପି । ଆଉ ଏଥିପାଇଁ ଏବେ ବିଜେପି ପାଇଁ ବ୍ରହ୍ମାସ୍ତ୍ର ସାଜିଛି ଜିଏସଟି । ସାନିଟାରୀ ନାପକିନ ଠାରୁ ଆରମ୍ଭ କରି ରେଫ୍ରିଜରେଟର ପର୍ଯ୍ୟନ୍ତ ୩୨୦ଟି ସାମଗ୍ରୀରୁ ଜିଏସଟି ହ୍ରାସ କରି ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ମୋଦି ସରକାର । ଯାହାର ଫାଇଦା ଆଗାମୀ ନିର୍ବାଚନରେ ନେବାକୁ ଲକ୍ଷ୍ୟ ରଖିଛି ମୋଦି ସରକାର ।