୬ ହଜାର ବିଚାରପତି ପଦ ପୂରଣ କରିବା ପାଇଁ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର

43

କନକ ବ୍ୟୁରୋ : ବର୍ତମାନ ଦେଶର ଅନେକ ଅଦାଲତରେ ବିଚାରପତି ପଦ ଖାଲି ପଡିଛି । ତେଣୁ ଲୋକମାନେ ସଠିକ ସମୟରେ ବିଚାର ବିଭାଗୀୟ ତଦନ୍ତ ପାଇ ପାରୁନାହାନ୍ତି । ତେଣୁ ଏନେଇ ଅନେକ ସମୟରେ ଅଭିଯୋଗ ମଧ୍ୟ ହେଉଛି । ତେଣୁ ମିଳିଥିବା ସୂଚନା ଅନୁସାରେ ନିମ୍ନ ଅଦାଲତଗୁଡ଼ିକରେ ଖାଲି ପଡ଼ିଥିବା ୫, ୪୦୦ ବିଚାରପତି ବଦବୀ ପୂରଣ କରିବା ନିମନ୍ତେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସୁପ୍ରିମ୍ କୋର୍ଟ ସହ ମିଶି ଥରକେ ପ୍ରାୟ ୬୦୦୦ ବିଚାରପତି ଚୟନ କରିବାକୁ ଦେଶବ୍ୟାପୀ ପରୀକ୍ଷା କରାଇବାକୁ ଉଦ୍ୟମ କରୁଛି।

 

ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିସନ୍ କିଂବା ଅନ୍ୟ କୌଣସି କେନ୍ଦ୍ରୀୟ ଏଜେନ୍ସି ଏହି ପରୀକ୍ଷା କରାଇ ପାରନ୍ତି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ଜିଲ୍ଲା ଜଜ୍ ଏବଂ ନିମ୍ନ ଅଦାଲତ ଜଜ୍ ପାଇଁ ଭିନ୍ନ ଭିନ୍ନ ପରୀକ୍ଷା କରାଯିବ। ନିର୍ଦ୍ଦିଷ୍ଟ ରାଜ୍ୟ ପାଇଁ ଚାହୁଁ ଥିବା ପ୍ରାର୍ଥୀମାନଙ୍କ ଲାଗି ସ୍ଥାନୀୟ ଭାଷା ଉପରେ ଗୁରୁତ୍ୱାରୋପ କରାଯିବ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ସିବିଏସ୍ଇ କରାଉଥିବା ନିଟ୍ ଧାରାରେ ଏହି ପରୀକ୍ଷା କରାଯିବ। କେନ୍ଦ୍ରୀୟ ଚୟନ ଧାରାରେ ସର୍ବଭାରତୀୟ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ।

 

ସୁପ୍ରିମ୍ କୋର୍ଟ ନିର୍ଦେଶାବଳୀ ଜାରି କରିବା ପରେ ଯାଇ ଏହି ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯିବ। ସର୍ବଭାରତୀୟ ବିଚାର ବିଭାଗୀୟ ନିଯୁକ୍ତି ବିରୋଧରେ ଆଗତ ଏକ ରିଟ୍ ପିଟିସନର ଶୁଣାଣି ପରେ ସୁପ୍ରିମ୍ କୋର୍ଟ ନିର୍ଦେଶାବଳୀ ଜାରି କରିବ। ଏବେ ଜିଲ୍ଲା ଓ ନିମ୍ନ ଅଦାଲତ ଗୁଡ଼ିକରେ ସମସ୍ତ ବିଚାରପତି ନିଯୁକ୍ତି ସମ୍ପୃକ୍ତ ରାଜ୍ୟ ସରକାର ଏବଂ ହାଇକୋର୍ଟଙ୍କ ଅଧୀନରେ କରାଯାଉଛି। ନିମ୍ନ ଅଦାଲତଗୁଡ଼ିକ ନିମନ୍ତେ ବିଚାର ବିଭାଗୀୟ ଅଧିକାରୀ ଚୟନ ପାଇଁ ନିୟମିତ ପରୀକ୍ଷା କରାଯାଉ ନ ଥିବାରୁ ବିପୁଳ ସଂଖ୍ୟକ ପଦବୀ ଖାଲି ପଡୁଛି।