ଦରମା ମାତ୍ର ୪୦ ହଜାର, କିନ୍ତୁ ୩ ବର୍ଷରେ ହୋଇଗଲେ କୋଟିପତି ! ଜାଣନ୍ତୁ କିଭଳି କଳାଧନର ସାମ୍ରାଜ୍ୟ ବିସ୍ତାର କରିଥିଲେ ଅଫିସର ମାଡାମ

60

କନକ ବ୍ୟୁରୋ : ଚାକିରି, ଆକାଉଂଟସ ଅଫିସରର ଆଉ ଦରମା ୪୦ ହଜାର । ହେଲେ ସମ୍ପତି କୋଟି କୋଟିର । ୭କୋଟିର ଜଣେ ସରକାରୀ ଅଫିସରଙ୍କୁ ଆଜି ଧରିଛି ଭିଜିଲାନ୍ସ । ତେବେ ତାଜୁବ କଲାଭଳି କଥା ହେଲା ସରକାରୀ ଅଫିସରଙ୍କ ବିଳାସପୂର୍ଣ୍ଣ ବଙ୍ଗଳାର ଇଂଟେରିଅର୍ । ଯେଉଁଥିରେ ଖର୍ଚ୍ ହୋଇଛି ୩ କୋଟିରୁ ଅଧିକ ଟଙ୍କା । ୨୦୧୫ରୁ ଓପେପାରେ କାମ କରୁଥିବା ଏହି ଲେଡି ଅଫିସର ମାତ୍ର ୩ ବର୍ଷରେ ହୋଇଯାଇଛନ୍ତି କୋଟିପତି ।

ଭିଜିଲାନ୍ସରେ ଧରାପଡିଲେ ସରକାରୀ ଦମ୍ପତି । ଆଉ ଭିଜିଲାନ୍ସ ହାତରେ ଧରାପଡିବା ପରେ ସରକାରୀ ଦମ୍ପତିଙ୍କ ବିଳାସପୂର୍ଣ୍ଣ ବାସଭବନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ କୌଣସି ରାଜଉଆସ ଠାରୁ କମ ନୁହେଁ ସରକାରୀ ଦମ୍ପତିଙ୍କ ବାସଭବନ । କେବଳ ଘରର ଭିତର ସାଜସଜ୍ଜା ପାଇଁ ଖର୍ଚ୍ଚ ହୋଇଛି ୩ କୋଟିରୁ ଅଧିକ ଟଙ୍କା । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆକାଉଣ୍ଟସ୍ ଅଫିସରରୁ କୁବେର ପାଲଟିଥିବା ନଳିନୀ କୁମାରୀ ପୃଷ୍ଟି , ଓପେପାର ଫାଇନାନ୍ସିଆଲ ଆଡଭାଇଜର ତଥା ଚିପ୍ ଆକାଉଂଟ ଅଫିସର ଭିଜିଲାନ୍ସ ହାତରେ ଧରାପଡିବା ଏଭଳି ଘଟଣା ସାମ୍ନାକୁ ଆସିଛି ।

ସବୁଠୁ ବଡ କଥା ହେଲା, ଏହି ଆକାଉଂଟ ଅଫିସରଙ୍କ କାରନାମା ଦେଖି ଟେରା ହୋଇ ଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ମାସକୁ ଦରମା ୪୦ ହଜାର, ହେଲେ ସେ ହେଉଛନ୍ତି ପାଖାପାଖି ୭ କୋଟି ଟଙ୍କାର ମାଲିକ । ୨୦୧୫ରୁ ସେ ଓପେପାରେ କାମ କରି ଆସୁଛନ୍ତି । ମାତ୍ର ୩ ବର୍ଷ ମଧ୍ୟରେ ମ୍ୟାଡମ୍ କେମିତି କୋଟିପତି ବନିଗଲେ, ତାହା ଦେଖି କାବା ହୋଇଯାଇଛି ଭିଜିଲାନ୍ସ । ଭିଜିଲାନ୍ସ ଆକଳନ ଅନୁଯାୟୀ ନଳିନୀ ପୃଷ୍ଟିଙ୍କର ଭୁବନେଶ୍ୱରରେ ଦୁଇଟି ଫ୍ଲାଟର ଦାମ୍ ୧ କୋଟି ୮୦ ଲକ୍ଷ ଟଙ୍କା । ଇଂଟେରିୟରରେ ଖର୍ଚ୍ଚ ପ୍ରାୟ ୧ କୋଟି ୩୪ ଲକ୍ଷ ଟଙ୍କା । ପ୍ରାୟ ୫୦ ଲକ୍ଷ ଟଙ୍କାର ଘରୋଇ ଉପକରଣ । ଭୁବନେଶ୍ୱର, ଜଟଣୀ ଓ ପୁରୀରେ ରହିଛି ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କାର ଫ୍ଲାଟ୍ ଓ ଜମି । ବ୍ୟାଙ୍କ ଡିପୋଜିଟ୍, ଫିକ୍ସ ଡିପୋଜିଟ୍ ଆଦିକୁ ମିଶାଇଲେ ପାଖାପାଖି ଦେଢ କୋଟି ଟଙ୍କା । କିନ୍ତୁ ନଳିନୀ କେବେ, କେଉଁଠୁ, କେମିତି ବେଆଇନ ଭାବେ ଏତେ ଟଙ୍କା ଠୁଳ କରିଛନ୍ତି, ତାର ହିସାବ ମାଗୁଛି ଭିଜିଲାନ୍ସ ସେଲ୍ ।

ଅଭିଯୋଗ ହେଉଛି, ସର୍ବଶିକ୍ଷା ଅଭିଯାନ ପାଇଁ ଆସୁଥିବା କୋଟି କୋଟି ଟଙ୍କାର ବିଲ୍ ପାସ ପାଇଁ ଆବଶ୍ୟକ ହୁଏ ମାଡାମଙ୍କ ଦସ୍ତଖତ । ଆଉ ଏହି ସର୍ବଶିକ୍ଷା ଅଭିଯାନକୁ ସର୍ବଗିଳା ଅଭିଯାନରେ ପରିଣତ କରି ଦେଇଥିଲେ ଏହି ଅଫିସର । ଅନ୍ୟପଟେ ନଳିନୀଙ୍କୁ ଜେରା କରୁ କରୁ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସ୍ୱାମୀ ବିଜୟ କେତନ ସାହ. ଛତ୍ରପୁରର ତହସିଲଦାର ଭାବେ କାର୍ଯ୍ୟ କରୁଛନ୍ତି । ସ୍ତ୍ରୀଙ୍କ କଳା ଟଙ୍କାକୁ ଧଳା କରି ଫସିଯାଇଛନ୍ତି ସ୍ୱାମୀ । ନଳିନୀଙ୍କ ଆକାଉଂଟରୁ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ଯାଇଛି ତାଙ୍କ ଆକାଉଂଟକୁ । ହେଲେ ତାର ହିସାବ ନାହିଁ, ସେମାନଙ୍କ ପାଖରେ । ଯେଉଁଥିପାଇଁ ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ହାତକଡି ପିନ୍ଧାଇଛି ଭିଜିଲାନ୍ସ ।