କରୋନାଙ୍କୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୁଲେଟିନ୍ । କହିଲା, ୧୫ ଜାନୁଆରୀ ପରେ କରୋନା ପ୍ରଭାବିତ ଦେଶରୁ ଫେରିଥିବା ୮୬ ଜଣଙ୍କ ଉପରେ ରହିଛି ନଜର

351

କନକ ବ୍ୟୁରୋ : କରୋନାକୁ ନେଇ ସାରା ବିଶ୍ୱରେ ଭୟ ବଢ଼ୁଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଲେଟିନ୍ ଜାରି କରାଯାଇଛି । ଗଣମାଧ୍ୟମକୁ ଦିଆଯାଇଥିବା ବୁଲେଟିନରେ କୁହାଯାଇଛି, ଜାନୁଆରୀ ୧୫ ପରେ କରୋନା ପ୍ରଭାବିତ ୮୬ ଜଣଙ୍କ ଉପରେ ନଜର ରଖାଯାଇଛି । ରାଜ୍ୟ ସରକାର ଏ ନେଇ କଂଟ୍ରୋଲ ରୁମ ନମ୍ବର ଜାରି କରି ୨୪ ଘଂଟିଆ ସେବା ଆରମ୍ଭ କରିଛନ୍ତି । କରୋନା ସଂପର୍କୀତ ପ୍ରଶ୍ନର ଉତର ଦିଆଯାଉଛି । ଘରେ ପୃଥକ ରଖାଯାଇ ୬୩ ଜଣଙ୍କ ଚିକିତ୍ସା ଚାଲିଛି । ୨୦ ଜଣଙ୍କ ଚିକିତ୍ସା ଶେଷ ହୋଇଛି । ହସପିଟାଲରେ ଆଡମିସନ୍ ହୋଇଥିବା ୩ ଜଣ ଘରକୁ ଫେରିଛନ୍ତି । କରୋନା ସଂଦେହରେ ମୋଟ ୭ ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠା ଯାଇଥିଲା ।

ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିବା କୁହାଯାଇଛି । ତେବେ ଜ୍ୱର ଓ କାଶ ହେଲେ ଘରେ ପୃଥକ ରଖି ଚିକିତ୍ସା କରିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେପଟେ ଭାରତରେ ମୋଟ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରେ ଚିହ୍ନଟ ହୋଇଥିବା ଏହି ୩ ଜଣଙ୍କ ଅବସ୍ଥା ସ୍ଥିର ରହିଛି । ଏପର୍ଯ୍ୟନ୍ତ ୨୯ଟି ଦେଶରେ ନଭେଲ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଚୀନରେ ଏହାର ଭୟାବହ ରୂପ ଦେଖିବାକୁ ମିଳିଛି । ମୃତ୍ୟୁ ସଂଖ୍ୟା ୧୭ ଶହ ଟପିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାରରୁ ଅଧିକ ହୋଇଥିବା ସୂଚନା ମିଳିଛି । ସେପଟେ କରୋନା ମୁକାବିଲା ନେଇ ଚୀନକୁ ସହାୟତାର ହାତ ବଢ଼ାଇଛି ଭାରତ ।