ବିଧାନ ପରିଷଦ ଗଠନ ନେଇ ଆଗକୁ ବଢିଲେ ସରକାର । ୨୦୨୦ରେ ଗଠନ ହୋଇପାରେ ବିଧାନ ପରିଷଦ, ଅନ୍ୟ ବିଭାଗକୁ ଚିଠି ଲେଖିଲା ଆଇନ ବିଭାଗ ।

402

କନକ ବ୍ୟୁରୋ : ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି ରାଜ୍ୟ ସରକାର । ଯଦି ସବୁ କିଛି ଯୋଜନା ମୁତାବକ ଚାଲେ, ହୁଏତ ଆଗାମୀ ବର୍ଷ ବେଳକୁ ଓଡ଼ିଶାରେ ଗଠନ ହୋଇଯିବ ବିଧାନ ପରିଷଦ । ବିଧାନ ପରିଷଦ ଗଠନ ନେଇ ଆଜି ଆଇନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଚିଠି କରାଯାଇଛି ।
ରାଜ୍ୟ ଆଇନ୍ ବିଭାଗ ପକ୍ଷରୁ ବିଧାନ ପରିଷଦ ଗଠନ ନେଇ ଚିଠି କରାଯିବା ସହ ଅନ୍ୟ ସମସ୍ତ ବିଭାଗକୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ , ରାଜ୍ୟ ବିଧାନସଭାରେ ପାରିତ ସମସ୍ତ ପ୍ରସ୍ତାବ ଓ ବିଲ୍ ଯାହାକି କେନ୍ଦ୍ର ସରକାର କିମ୍ବା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଅପେକ୍ଷାରେ ଅଛି ସେ ବାବଦରେ ସମସ୍ତ କାଗଜପତ୍ର ତୁରନ୍ତ ନୂଆଦିଲ୍ଲୀ ସ୍ଥିତ ରେସିଡେଂସିଆଲ କମିଶନରଙ୍କୁ ପଠାଇବାକୁ କୁହାଯାଇଛି । ଏ ନେଇ ବିଧାନସଭା ସଚିବ ମଧ୍ୟ ଆଇନ ବିଭାଗକୁ ଚିଠି ଲେଖିଛନ୍ତି ।

ବିଧାନସଭାରେ ପାରିତ ବିଭିନ୍ନ ବିଲ୍ ଓ ପ୍ରସ୍ତାବ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି ରାଜ୍ୟରେ ବିଧାନପରିଷଦ ଗଠନ ପ୍ରସ୍ତାବ । ଯାହାକୁ ପ୍ରସ୍ତାବ ଦେଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀଙ୍କ ବିରୋଧ ସତ୍ୱେ ଏହି ସଂକଳ୍ପ ୧୦୪ ଖଣ୍ଡ ଭୋଟରେ ପାରିତ ହୋଇଥିଲା । ବିଧାନ ପରିଷଦ ପ୍ରସ୍ତାବ ଆସିବା ବେଳେ ବିଜେଡି ନିଜ ଦଳୀୟ ନେତାଙ୍କୁ ଥଇଥାନ କରିବାକୁ ବିଧାନ ପରିଷଦ ପ୍ରସ୍ତାବ ଆଣୁଛି ବୋଲି ଅଭିଯୋଗ କରି କଂଗ୍ରେସ ଓ ବିଜେପି କକ୍ଷତ୍ୟାଗ କରିଥିଲେ । କିନ୍ତୁ ସାଧାରଣ ନିର୍ବାଚନ ପରେ ବର୍ତମାନ ବିଜେପି ଓ ବିଜେଡିର ସମୀକରଶ ବଦଳିଥିବା କୁହାଯାଉଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ବିଜେଡି ସଂସଦରେ ସମର୍ଥନ କରିବା ଓ କେନ୍ଦ୍ରର ନୂଆ ସରକାର ଓଡିଶାକୁ ଦେଇଥିବା ସହାୟତା ବିଜେପି ଓ ବିଜେଡି ସଂପର୍କରେ ସୁଧାର ଆସିଥିବା ସ୍ପଷ୍ଟ କରୁଛି । ଏପରିକି ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ମଧ୍ୟ ବିଜେଡି ସମର୍ଥନ କରିଛି । ଏଭଳି ସ୍ଥଳେ ବିଧାନ ପରିଷଦ ବିଲକୁ ବିନା ବାଧାରେ ସଂସଦ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଯିବା ଆଶା କରାଯାଉଛି ।

ବିଧାନ ପରିଷଦ ଗଠନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏକ କମିଟି ଗଠନ କରାଯାଇ ପରିଷଦ ଥିବା ରାଜ୍ୟକୁ ଯାଇ ଏହାର କାର୍ଯ୍ୟଶୈଳୀ ଅନୁଧ୍ୟାନ କରିଥିଲେ । ତେଣୁ ବର୍ତମାନର ପରିବର୍ତିତ ପରିସ୍ଥିତିରେ ଯଦି ଆଗାମୀ ଶୀତ ଅଧିବେଶନରେ ଏହି ପ୍ରସ୍ତାବ ଉଭୟ ସଂସଦ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରେ, ତେବେ ଆସନ୍ତା ୨୦୨୦ରେ ଓଡିଶାରେ ବିଧାନ ପରିଷଦ କାର୍ଯ୍ୟକାରୀ ହୋଇଯିବ ବୋଲି ଆଶା କରାଯାଉଛି ।