ରାଜ୍ୟ ସରକାରଙ୍କ ବଦାନ୍ୟତା ! ବାପା ଚାଲିଗଲା ପରେ କୁନି ଝିଅକୁ ସାହା ହେଲେ ସରକାର ।

50

କନକ ବ୍ୟୁରୋ : କୁନି ଝିଅ ପାଇଁ ସହାୟତାର ହାତ ବଢାଇଲେ ରାଜ୍ୟ ସରକାର । ବମିଖାଲ ଓଭରବ୍ରିଜ ଭୁଷୁଡିବା ଘଟଣାରେ ମୃତ ସତ୍ୟ ପଟ୍ଟନାୟକଙ୍କ ଝିଅ ଶୀତଲ ପଟ୍ଟନାୟକଙ୍କ ପାଠପଢା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଆଉ ଏଥିପାଇଁ ସାଢେ ୬ ଲକ୍ଷ ଟଙ୍କାର ସହାୟତା ରାଶି ଶୀତଲ ପଢୁଥିବା ସ୍କୁଲକୁ ପ୍ରଦାନ କରିଛନ୍ତି ସରକାର । ଡିପିଏସ କଳିଙ୍ଗରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଶୀତଲ ପଟ୍ଟନାୟକଙ୍କ ପାଠପଢାରେ ଯେପରି ଅର୍ଥ ବାଧକ ନ ସାଜିବ ସେଥିପାଇଁ ତତ୍ପରତା ଦେଖାଇଛନ୍ତି ସରକାର । ଶୀତଲଙ୍କ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଅର୍ଥ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି ରାଜ୍ୟ ସରକାର ।

୧୦ ସେପ୍ଟେମ୍ବର, ୨୦୧୭ । ଦିନ ପ୍ରାୟ ସାଢେ ୧୨ଟା । ଝାରପଡା ଘରୁ ଝିଅକୁ ସାଙ୍ଗରେ ନେଇ ବାହାରିଥିଲେ ସତ୍ୟବ୍ରତ ପଟନାୟକ । ରବିବାର ଛୁଟିଦିନରେ ହୁଏ ଝିଅର ଡାନ୍ସ କ୍ଲାସ୍ । ସବୁଥର ଭଳି ବମିଖାଲରେ ଥିବା ସେହି ଡାନ୍ସ କ୍ଲାସକୁ ଝିଅକୁ ଛାଡିବାକୁ ଯାଉଥିଲେ ବାପା ସତ୍ୟବ୍ରତ । ବମିଖାଲର ଖାଲଖମା ରାସ୍ତାରେ ଅଙ୍କେଇ ବଙ୍କେଇ ଚାଲୁଥିଲା ଧଳାରଂଗର ସ୍କୁଟି । ଗାଡି ପଛରେ ବସି ବାପାଙ୍କୁ ଜାବୁଡି ଧରିଥିଲେ ଶୀତଲ । ହେଲେ ରାସ୍ତାରେ ଯେମିତି ଅପେକ୍ଷା କରିଥିଲା ମୃତ୍ୟୁ । ଗାଡିରେ ହସଖୁସିରେ ଗପି ଯାଉଥିବା ବାପ-ଝିଅଙ୍କ ଉପରେ ହଠାତ୍ ଖସି ପଡିଲା ଓଭରବ୍ରିଜ୍ । ଆଉ ନିମିଷକ ମଧ୍ୟରେ ସବୁ ଶେଷ ହୋଇଗଲା । ଜୀବନ ଚାଲିଗଲା ବାପାଙ୍କର । ପଛରେ ବସିଥିବା ଝିଅ ସୌଭାଗ୍ୟବଶତଃ ବଂଚିଗଲେ । ଆଉ ଏହି ଦୁର୍ଘଟଣା ଗୋଟିଏ ପରିବାରର ହସଖୁସିକୁ କ୍ଷଣିକରେ ଛାରଖାର କରିଦେଲା । କାରଣ ପରପାରିକୁ ଚାଲି ଯାଇଥିଲେ ଘରର ମୁରବି ।

ସତ୍ୟବ୍ରତଙ୍କ ମୃତ୍ୟୁ ପରେ ପରିବାର ଚଳାଇବାକୁ ଅର୍ଥ ସାଜିଥିଲା ବାଧକ । ତେଣୁ ଝିଅ ଶୀତଲର ପାଠପଢା ପାଇଁ ଆବଶ୍ୟକୀୟ ଅର୍ଥ ସହାୟତା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ସତ୍ୟବ୍ରତଙ୍କ ପରିବାର । ପ୍ରଥମେ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ରାଜ୍ୟ ସରକାର । ଆଉ ଏହି ଘଟଣାର ଗୋଟିଏ ବର୍ଷ ମଧ୍ୟରେ ଶୀତଲଙ୍କ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଖର୍ଚ୍ଚ ହେବାକୁ ଥିବା ସାଢେ ୬ ଲକ୍ଷ ଟଙ୍କା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଶୀତଲଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସରକାର ତାଙ୍କ ଅନୁରୋଧ ରକ୍ଷା କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଶୀତଲଙ୍କ ପରିବାର । କାରଣ ଏହାଦ୍ୱାରା ଶୀତଲଙ୍କ ପାଠପଢାରେ ଆଉ ଅର୍ଥ ବାଧକ ସାଜିବନି ।