ହରତାଳକୁ ଓହ୍ଲାଇବେ ବ୍ୟାଙ୍କ କର୍ମଚାରୀ, ୨ ଦିନ ବ୍ୟାଙ୍କରେ ଝୁଲିବ ତାଲା ! ଜାଣନ୍ତୁ କେବେ

42

ଚଳିତ ମାସର ଶେଷ ଦୁଇ ଦିନ ସରକାରୀ ବ୍ୟାଙ୍କରେ ଝୁଲିବ ତାଲା । ସରକାରୀ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ମେ ୩୦ରୁ ଦେଶବ୍ୟାପୀ ଦୁଇ ଦିନିଆ ହରତାଳକୁ ଓହ୍ଲାଇବାକୁ ଯାଉଛନ୍ତି । ମାତ୍ର ଦୁଇ ପ୍ରତିଶତ ବର୍ଦ୍ଧିତ ଦରମା ପ୍ରସ୍ତାବର ବିରୋଧରେ କର୍ମଚାରୀ ମାନେ ଏହି ହର଼ତାଳ କରିବେ ବୋଲି ସୂଚନା ମିଳିଛି ।

ବ୍ୟାଙ୍କ ୟୁନିୟନ ମୁତାବିକ, ଇଣ୍ଡିଆନ ବ୍ୟାଙ୍କର୍ସ ଆସୋସିଏସନ ଚଳିତ ଥର ମାତ୍ର କର୍ମଚାରୀଙ୍କ ମାତ୍ର ଦୁଇ ପ୍ରତିଶତ ଦରମା ବଢ଼ାଇବାକୁ ପ୍ରସ୍ତାବ ଦେଇଛି । ମେ ୫ରେ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । କିନ୍ତୁ ବ୍ୟାଙ୍କ ୟୁନିୟନ ଏଭଳି ପ୍ରସ୍ତାବକୁ ଗ୍ରହଣ କରିନାହିଁ । ୟୁନାଇଟେଡ଼ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନର ଅଧିକାରୀଙ୍କ କହିବା ଅନୁଯାୟୀ, ବ୍ୟାଙ୍କର ଯାହା ବି କ୍ଷତି ହେଉଛି ତାହା ମାତ୍ରାଧିକ ଲୋନ ଦେବା ଯୋଗୁଁ ହେଉଛି । ଏହାପାଇଁ କୌଣସି ବ୍ୟାଙ୍କ କର୍ମଚାରୀ ଦାୟୀ ନୁହଁନ୍ତି ।

ବିଗତ ୨ରୁ ୩ ବର୍ଷ ହେଲା ବ୍ୟାଙ୍କ କର୍ମଚାରୀ ବିନା କୌଣସି ସଙ୍କୋଚରେ ସରକାରଙ୍କର ବିଭିନ୍ନ ଯୋଜନାକୁ ଲାଗୁ କରିବାକୁ କାମ କରି ଆସୁଛନ୍ତି । ଏପରିକି ବ୍ୟାଙ୍କ କର୍ମଚାରୀ ଜନ-ଧନ ଯୋଜନା, ବିମୁଦ୍ରାକରଣ, ମୁଦ୍ରା ଯୋଜନା ଓ ଅଟଳ ପେନସନ ଯୋଜନା ଭଳି ସରକାରଙ୍କର ବିଭିନ୍ନ ଯୋଜନାକୁ ସୁଚାରୁ ରୂପେ ତୁଲାଇବାରେ ଅହମ ଭୁମିକା ଗ୍ରହଣ କରିଥିଲେ । ଏହି ସମୟ ଗୁଡ଼ିକରେ ବ୍ୟାଙ୍କ କର୍ମଚାରୀ ମାନେ ସରକାରଙ୍କର ଯୋଜନାକୁ ସଫଳ କରିବା ପାଇଁ ଦିନରାତି ଏକ କରି ଦେଇଥିଲେ ।

ସେହି ଅନୁସାରେ ବେତନରେ ମଧ୍ୟ ୧୫ ପ୍ରତିଶତ ବୃଦ୍ଧି କରିବାକୁ ଆଇବିଏ ପ୍ରସ୍ତାବ ଦେଇଥିଲା । କିନ୍ତୁ ଦରମାର ମାତ୍ର ୨ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ ଏବେ ବିରୋଧ କରିଛନ୍ତି କର୍ମଚାରୀ । ତେବେ ହରତାଳ ପୂର୍ବରୁ ବ୍ୟାଙ୍କ କର୍ମଚାରୀ ମେ ୨୯ରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁମ୍ବାଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିବେ । ମୋଟ ୯ଟି ବ୍ୟାଙ୍କର କର୍ମଚାରୀ ହରତାଳରେ ସାମିଲ ହେବେ ବୋଲି ଜଣାପଡ଼ିଛି ।