ରାଜ୍ୟ ସରକାରଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା । ବିଧାନସଭାରେ ଦେଖାଇଲେ ବିକାଶର ସୁନେଲୀ ଚିତ୍ର

କାଳିଆ ଯୋଜନାର ଭୁରି ଭୁରି ପ୍ରଶଂସା, କହିଲେ ରାଜ୍ୟରେ ଘଟିଛି ଦ୍ରୁତ ଅଭିବୃଦ୍ଧି, କଂଗ୍ରେସର କକ୍ଷତ୍ୟାଗ, ବିଜେପି କହିଲା ସରକାରଙ୍କ ଭାଷା କହିଛନ୍ତି ରାଜ୍ୟପାଳ ।

191

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ବିଧାନସଭାର ଶେଷ ଅଧିବେଶନ । ଏହି ଅଧିବେଶନର ପ୍ରଥମ ଦିନରେ ଆଜି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ସେ କହିଛନ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମି, କୃଷି , ଗମନାଗମନ ଓ ଅଭିବୃଦ୍ଧିରେ ଓଡିଶା ଆଗକୁ ଯାଇଛି । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସହାୟକ ହେବ । ସେପଟେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷତ୍ୟାଗ କରିଛି କଂଗ୍ରେସ ।

ନିର୍ବାଚନ ପୂର୍ବରୁ ବିଧାନସଭାର ଶେଷ ଅଧିବେସନରେ ସରକାରଙ୍କ ବିକାଶର ସୁନେଲି ଚିତ୍ର ଉପସ୍ଥାପନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମି, କୃଷି ,ଗମନାଗମନ ଓ ଅଭିବୃଦ୍ଧିରେ ଓଡିଶା ଆଗକୁ ଯାଇଛି ବୋଲି କହିଛନ୍ତି ରାଜ୍ୟପାଳ । ସେ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଅନ୍ୟ ରାଜ୍ୟମାନଙ୍କ ମଡେଲ ପାଲଟିଛି । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଯୋଗୁଁ ୫ଥର କୃଷି କର୍ମଣ ପୁରସ୍କାର ପାଇଛି ରାଜ୍ୟ । ସ୍ମାର୍ଟ ସିଟିରେ ଓଡିଶା ପ୍ରଥମରେ ରହିଛି । ସେହିପରି ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସହାୟକ ହେବ ।

ସେପଟେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ କଂଗ୍ରେସ ସଦସ୍ୟ । ଗୃହବାହାରେ ରାଜ୍ୟପାଳଙ୍କ ଅଭିଭାଷଣକୁ କଡା ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସେହିପରି ବିଜେପି କହିଛି ସରକାରଙ୍କ କଥା କହିଛନ୍ତି ରାଜ୍ୟପାଳ । ପଂଚଦଶ ବିଧାନସଭାର ଶେଷ ଅଧିବେଶନ ଆରମ୍ଭରେ ଦିବଂଗତ ନେତାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ୭ ତାରିଖରେ ଗୃହରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର ।