ବିକ୍ରି ହେବ ଏୟାର ଇଣ୍ଡିଆ । ଋଣ ବୋଝ ମୁକ୍ତ କରିବା ପାଇଁ ସରକାରଙ୍କ ନିଷ୍ପତି ।

417

କନକ ବ୍ୟୁରୋ : ଶତ ପ୍ରତିଶତ ବିକ୍ରି ହେବ ଏୟାର ଇଣ୍ଡିଆ । ଋଣ ବୋଝ ମୁକ୍ତ କରିବା ପାଇଁ ଏପରି ନିଷ୍ପତି ନେଇଛନ୍ତି ସରକାର । ଆଜିଠାରୁ ଏଥିପାଇଁ ନିଲାମ ଡକାଯାଇଥିବା ବେଳେ ଅପରପକ୍ଷରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରିଛନ୍ତି ଖୋଦ୍ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । ସେପଟେ ସରକାରଙ୍କ ନିକଟରେ ଅର୍ଥ ନଥିବାରୁ ସରକାର ଏୟାର ଇଣ୍ଡିଆକୁ ନିଲାମ କରୁଥିବା କହିଛି କଂଗ୍ରେସ ।

ବିକ୍ରି ହେବ ଏୟାର ଇଣ୍ଡିଆ । ଋଣ ବୋଝରେ ଥିବା ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ସରକାର ସୋମବାରଠାରୁ ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏୟାର ଇଣ୍ଡିଆକୁ ବିକ୍ରି କରିବା ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା କପିଲ ସିବଲ । ଭାରତ ସରକାରଙ୍କ ନିକଟରେ ଟଙ୍କା ନାହିଁ ତେଣୁ ସେ ଏପରି ନିଷ୍ପତି ନେଇଥିବା କହିଛନ୍ତି ସିବଲ । ଅପରପକ୍ଷରେ ଖୋଦ୍ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ସରକାରଙ୍କ ଏପରି ନିଷ୍ପତିକୁ ବିରୋଧ କରିଛନ୍ତି । ଏୟାର ଇଣ୍ଡିଆକୁ ବିକ୍ରି କରିବା ସମ୍ପୂର୍ଣ୍ଣ ଭାବେ ରାଷ୍ଟ୍ର ବିରୋଧୀ ଏବଂ ଏହା ବିରୋଧରେ ସେ ବାଧ୍ୟ ହୋଇ କୋର୍ଟ ଯିବେ ବୋଲି ଟ୍ୱିଟ କରିଛନ୍ତି ସୁବ୍ରମଣ୍ୟମ ।

ସେପଟେ ଏୟାର ଇଣ୍ଡିଆର ନିଲାମ ନେଇ ପ୍ରତିକ୍ରିୟା ରଖିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ପୁରୀ । ନିଲାମ ପାଇଥିବା କମ୍ପାନୀ ଏୟାର ଇଣ୍ଡିଆ ବ୍ରାଣ୍ଡକୁ ଉପଯୋଗ କରିପାରିବ ବୋଲି କହିଛନ୍ତି । ଅପରପକ୍ଷରେ ଏୟାର ଇଣ୍ଡିଆର ଅତିରିକ୍ତ କର୍ମଚାରୀ ନଥିବା ବେଳେ ଅବସରପ୍ରାପ୍ତ କର୍ମଚାରୀଙ୍କୁ କିପରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ତାର ସମାଧାନ କରାଯିବ ବୋଲି କହିଛନ୍ତି ଏୟାର ଇଣ୍ଡିଆ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀ ।

ଏୟାର ଇଣ୍ଡିଆର ଶତ ପ୍ରତିଶତ ବିକ୍ରି ପାଇଁ ନିଲାମ ଡାକିଛନ୍ତି ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ ଟିମ ଗଠିତ ହୋଇଥିଲା । ବିମାନ କମ୍ପାନୀକୁ ଆର୍ଥିକ ବୋଝରୁ ମୁକୁଳାଇବାକୁ ଯାଇ ଏହାକୁ ଘରୋଇକରଣ କରିବା ପାଇଁ ମନ୍ତ୍ରୀସ୍ତରୀୟ ଟିମରେ ଆଲୋଚନା ହୋଇଥିଲା । ଏହାପରେ ବିମାନ କମ୍ପାନୀର ଶହେ ପ୍ରତିଶତ ବିକ୍ରି ପାଇଁ ନିଷ୍ପତି ହୋଇଥିଲା । ଏୟାର ଇଣ୍ଡିଆ ଏବେ ୮୦ହଜାର କୋଟି ଟଙ୍କା ଋଣରେ ବୁଡି ରହିଛି । ମାର୍ଚ୍ଚ ୧୭ତାରିଖ ପର୍ଯ୍ୟନ୍ତ ନିଲାମୀ ପ୍ରକ୍ରିୟା ଜାରି ରହିବ ।