ସରକାରୀ ଯୋଜନାକୁ ଉପହାସ ! କେନ୍ଦୁଝର ସରେଇ ଗାଁରେ ଭଙ୍ଗାଘରେ ରହୁଛନ୍ତି ହିତାଧିକାରୀ

61

କନକ ବ୍ୟୁରୋ : ଦେଶରୁ ଦାରିଦ୍ର୍ୟ ହଟିବ । ସମସ୍ତଙ୍କ ପେଟକୁ ଦାନ, ରହିବାକୁ ବାସ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା । ହେଲେ ଅନେକ କ୍ଷେତ୍ରରେ ଅନୁଭବ ହୁଏ ସରକାରଙ୍କ ସବୁ ଯୋଜନା କେବଳ ଘୋଷଣା ପାଇଁ । ଆଧିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ସରେଇ ଗାଁର ଦୁଇଟି ଦୃଶ୍ୟ, ସରକାରଙ୍କ ଯୋଜନା ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ସରେଇ ଗାଁର ଧନେଶ୍ୱର ସାହୁ । ଗରିବ ଦିନ ମଜୁଆ ହୋଇଥିବା ବେଳେ ମୁଣ୍ଡ ଗୁଂଜିବା ପାଇଁ ଏକ ମାତ୍ର ଭରସା ଖଣ୍ଡିକ ହଠାତ୍ ଭାଙ୍ଗି ପଡିଛି । ବାସ ଉଜୁଡି ଯିବା ପରେ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ବ୍ଲକ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ଧନେଶ୍ୱର । ହେଲେ ତାଙ୍କ ଗୁହାରି କେହି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି ।

ସରେଇ ଗାଁର ଆଉ ଏକ ଦୃଶ୍ୟ  । ଚାଳ ଛପର ସାଙ୍ଗକୁ ଝାଟି କାଂଥର ଘର । ଏହାରି ଭିତରେ ଖରା, ବର୍ଷାରେ ଜୀବନ ବିତାଉଛନ୍ତି ମାୟାବତି ସାହୁଙ୍କ ପରିବାର । ଏ ପରିବାର ବିପିଏଲ ଅନ୍ତର୍ଭୁକ୍ତ ହୋଇ ବି ଘର ଟିଏ ପାଇଁ ନିବେଦନ କରି ନିରାସ ହୋଇଥିବା କହିଛନ୍ତି । ଏତେ ଦିନ ଧରି ପ୍ରଶାସନର ଆଢୁଆଳରେ ରହିଥିବା ଗରିବ ହିତାଧୀକାରୀଙ୍କ ସମସ୍ୟାର ତଦନ୍ତ କରି ସାହାଯ୍ୟ କରିବେ ବୋଲି କହିଛନ୍ତି ଘସିପୁରା ବିଡିଓ ।

ସରେଇ ଗାଁ ଦୁଇଟି ଦୃଶ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ପ୍ରଶ୍ନ ଉଠିଛି ଗରିବଙ୍କ ଜୀବନ ଯଦି ଭଙ୍ଗା ଚାଳ ଘରେ କଟିବ ତେବେ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବସ ଯୋଜନା, ମୋ କୁଡିଆ ଯୋଜନା କାହା ହି ହିତରେ?