ଡ୍ରାଇଭିଂ ଲାଇସେନ୍ସ ସହ ଆଧାର କାର୍ଡ଼ ସଂଯୋଗ ବାଧ୍ୟତାମୂଳକ ! ଖୁବଶୀଘ୍ର ନିୟମ ଆଣୁଛନ୍ତି କେନ୍ଦ୍ର ସରକାର

145

କେନ୍ଦ୍ର ସରକାର ଖୁବ ଶୀଘ୍ର ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହ ଯୋଡ଼ିବା ପାଇଁ ନିୟମ ଆଣିପାରନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ପଞ୍ଜାବର ଫଗବାଡ଼ାରେ ଲଭଲି ପ୍ରଫେସନାଲ ବିଶ୍ୱବିଦ୍ୟାଳୟର ୧୦୬ ତମ ଭାରତୀୟ ବିଜ୍ଞାନ କଂଗ୍ରେସର କାର୍ଯ୍ୟକ୍ରମରେ ଯୋଗଦେଇ ରବିଶଙ୍କର କହିଛନ୍ତି ଖୁବଶୀଘ୍ର ଏନେଇ ନିମୟ ପ୍ରଣୟନ କରିବେ ସରକାର । ଆଉ ତା’ପରେ ଡ୍ରାଇଭିଂ ଲାଇସେନ୍ସ ସହ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ ହେବ ।

ବର୍ତ୍ତମାନ ସମୟରେ ଦେଖାଯାଉଛି ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି । ଆଉ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରୁ ନାହିଁ । ଆଉ କିଛି ଦିନ ଭିତରେ ହିଁ ଦୋଷୀ ନକଲି ଲାଇସେନ୍ସ ମଧ୍ୟ ହାସଲ କରିନେଉଛି । ଯାହା ଦୋଷୀକୁ ଦଣ୍ଡରୁ ରକ୍ଷା କରିଦିଏ । ଆଧାର ସହ ସଂଯୋଗ ପରେ, ନିଜର ନାମ ବଦଳାଇଦେଲେ ବି ବାୟୋମେଟ୍ରିକ୍ସରେ ପରିବର୍ତ୍ତନ ହେବନାହିଁ । ଆଖିର ପଟଳକୁ ବଦଳାଇ ହେବ ନାହିଁ କି ଅଙ୍ଗୁଳି ଚିହ୍ନକୁ ମଧ୍ୟ ପରିବର୍ତ୍ତନ କରିହେବ ନାହିଁ । ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଯେତେବେଳେ ନକଲି ଡ୍ରାଇଭିଂ ଲାଇସେନ୍ସ ପାଇଁ ଯିବେ, ଆପେ ଆପେ ଜଣାପଡ଼ିଯିବ ଯେ ଆପଣଙ୍କ ପାଖରେ ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ଥିଲା । ଆଉ ଦୋଷୀକୁ ଦଣ୍ଡ ମିଳିବ ।