ଏବେ କଂପାନୀମାନଙ୍କ ପାଇଁ ଲାଗୁହେବ ‘ଆଧାର ନମ୍ବର’ ! ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା

56

ନୂଆ ଦିଲ୍ଲୀ : ଦେଶର ଅଧିକାଂଶ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ନମ୍ବର ଦେଇସାରିଥିବା ସରକାର ଖୁବ୍ ଶୀଘ୍ର କଂପାନୀମାନଙ୍କୁ ମଧ୍ୟ ବିଶେଷ ପରିଚୟ ନମ୍ବର ଦେବେ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆର୍ଥିକ ବର୍ଷ ୨୦୧୮-୧୯ର ବଜେଟ୍ ଉପସ୍ଥାପନା କରି ଘୋଷଣା କରିଛନ୍ତି । ଅର୍ଥାତ୍ ଏବେ କଂପାନୀମାନଙ୍କୁ ମଧ୍ୟ ଆଧାର କାର୍ଡ କରିବାକୁ ହେବ । ଏଥିରୁ କେହି ମୁକ୍ତ ହୋଇପାରିବେ ନାହିଁ ।

ଅର୍ଥମନ୍ତ୍ରୀ କହିଛନ୍ତି , ‘ସରକାର ସବୁ କଂପାନୀମାନଙ୍କୁ ଏକ ୟୁନିକ୍ ଆଇଡି ଦେବା ପାଇଁ ଆଧାରର ଏକ ଯୋଜନା ଆଣିବେ ’ । ସୂଚନା ଯେ , ସରକାରଙ୍କୁ ଆଧାର ଜରିଆରେ ସରକାରୀ ଯୋଜନାଗୁଡିକରେ ଭ୍ରଷ୍ଟାଚାର ଓ ସବସିଡି ଲିକେଜକୁ କମ୍ କରିବାରେ ସାହାଯ୍ୟ ମିଳିଛି । ଏବେ ସରକାର ‘ଆଧାର କାର୍ଡ ’ ଜରିଆରେ ବେସରକାରୀ କଂପାନୀମାନଙ୍କର ଭ୍ରଷ୍ଟାଚାର ଓ ନକଲି କଂପାନୀମାନଙ୍କ ଉପରେ ଲଗାମ ଲଗେଇବାକୁ ଚାହିଁଛନ୍ତି । ଆଉ ଏହାର ଏକମାତ୍ର ମାଧ୍ୟମ ହେବ ଆଧାର କାର୍ଡ ।

ସରକାର ପ୍ରଥମରୁ ୩ଲକ୍ଷରୁ ଅଧିକ ନକଲି କଂପାନୀମାନଙ୍କ ଲାଇସେନ୍ସ ରଦ୍ଦ କରିସାରିଛନ୍ତି । ସରକାର ନୋଟବନ୍ଦୀ ପରେ ସନ୍ଦିଗ୍ଧ ଗତିବିଧିଗୁଡିକରେ ଲିପ୍ତ କଂପାନୀମାନଙ୍କ ବିରୁଦ୍ଧରେ ବଡ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

( ସୌଜନ୍ୟ- ନବଭାରତ ଟାଇମ୍ସ)