ଜଙ୍ଗଲରେ ମା’ର ଶବ ପାଖରୁ ଉଦ୍ଧାର ହୋଇଥିବା ଶିଶୁର ଦାୟିତ୍ୱ ନେଲେ ସରକାର : ଅଠର ବର୍ଷ ପର୍ଯ୍ୟନ୍ତ ନିଆଯିବ ଯତ୍ନ

33

କନକ ବ୍ୟୁରୋ : ଘନ ଅନ୍ଧକାରରେ ଜଙ୍ଗଲ ଭିତରେ ମୃତ ମାଆ ସହ ରାତି କଟାଇଥିବା ଏହି ୧୦ ମାସର ଶିଶୁକୁ ମିଳିଛି ନୂଆ ଠିକଣା । ହସପିଟାଲ କର୍ମଚାରୀମାନେ ତାକୁ ଆଦରି ନେଇଛନ୍ତି । କାରଣ ଯେଉଁ ପରିସ୍ଥିତି ଦେଇ ଏହି ଶିଶୁଟି ଗତି କରିଛି ତାହା ସାଧାରଣ ନୁହେଁ । ଆଖି ସାମ୍ନାରେ ଚାଲିଗଲା ମାଆର ଜୀବନ । ଅଜଣା, ଅଚିହ୍ନା ଦୁନିଆରେ ଏକାକୀ ପାଲଟିଯାଇଛି ନୀରିହ ଶିଶୁଟି । ସେପଟେ ସରକାର କହିଛନ୍ତି, ୧୮ ବର୍ଷ ଯାଏଁ ତାର ଯତ୍ନ ନେବେ । ଲାଳନ ପାଳନ ଠାରୁ ପାଠ ପଢା ଯାଏଁ ସବୁ ଦାୟିତ୍ୱ ତୁଲାଇବେ ।

କୋରାପୁଟ ବୋରିଗୁମ୍ମାର ନୀଳଗିରି ଜଙ୍ଗଲରୁ ମିଳିଥିବା ଏହି ଶିଶୁର ସ୍ୱାସ୍ଥ୍ୟ ଏବେ ଠିକ୍ ଅଛି । ଆଖି ଓ କାନ ପାଖରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ଡାକ୍ତର ତାର ଚିକିତ୍ସା କରୁଛନ୍ତି । ସମ୍ପୂଣ୍ଣ ସୁସ୍ଥ ହେବା ପରେ ଶିଶୁଟିକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯିବ ।

ମଙ୍ଗଳବାର ନୀଳଗିରି ଜଙ୍ଗଲରେ ଦେଖିବାକୁ ମିଳିଥିଲା ଛାତି ଥରା ଦୃଶ୍ୟ । ଘନ ଜଙ୍ଗଲ ମଧ୍ୟରେ ପଡିଥିଲା ମାଆର ମୃତ ଶରୀର । ଆଉ କୁନି ଶିଶୁଟି ଗୁରୁଣ୍ଡି ଗୁରୁଣ୍ଡି ଖୋଜୁଥିଲା ମାଆକୁ ତାର । ବିକଳରେ ମାଆକୁ ଡାକି ଡାକି କାନ୍ଦୁଥିଲା । କଅଁଳ ଶିଶୁର କାନ୍ଦ ଶୁଣି ତାକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ସନ୍ଦେହ କରାଯାଉଛି ଅନ୍ଧାର ରାତିରେ ଶିଶୁ ଆଗରେ ତାର ମାଆକୁ ଅମାନୁଷିକ ଭାବେ ହତ୍ୟା କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ –