ମାର୍ଚ୍ଚ ଶେଷ ସୁଦ୍ଧା ନିର୍ମାଣ ହେବ ଅଧିକ ୩୫୦୦ କିମି ରାସ୍ତା ! ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ବୈଠକରେ ହେଲା ନିଷ୍ପତ୍ତି

153

କନକ ବ୍ୟୁରୋ : ୨୦୧୭ ସୁଦ୍ଧା ରାଜ୍ୟରେ ସମୁଦାୟ ୧୮,୬୨୪ କୋଟି ଟଙ୍କା ବିନିଯୋଗ କରାଯାଇ ୪୩,୨୨୨ କିମି ରାସ୍ତା ନିର୍ମାଣ କରାଯାଇଛି । ଏହା ଫଳରେ ୧୯,୬୮୨ ଗ୍ରାମକୁ ସଡ଼କ ସଂଯୋଗ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୩୫୦୦ କିମି ରାସ୍ତା ପୂର୍ଣ୍ଣାଙ୍ଗ ହେବା ସହ ନୂଆ ରାସ୍ତାଗୁଡ଼ିକର ମୂଳଦୁଆ କାମ ତ୍ୱରାନ୍ଵିତ କରାଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା  ଅଧିକ ୩୫୦୦ କିମି ରାସ୍ତା ପୂର୍ଣ୍ଣାଙ୍ଗ କରାଯିବ ।  ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟାନ୍ଵୟନରେ ଓଡ଼ିଶା ଜାତୀୟ ସ୍ତରରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ବିଷ୍ଣୁପଦ ସେଠୀ କାର୍ଯ୍ୟାନ୍ଵୟନ ସମ୍ବନ୍ଧିତ ଆର୍ଥିକ, ପ୍ରଶାସନିକ ଓ ବୈଷୟିକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ବୈଠକରେ ପ୍ରାୟ ୫୦୦ କୋଟି ଟଙ୍କା ଅଟକଳରେ ନୂଆ ୧୬୫ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା। ଏଥିରେ ୩୬ଟି ପୋଲ ନିର୍ମାଣ ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୫୮୨ କିମି ରାସ୍ତାର ନିର୍ମାଣ ଓ ଉନ୍ନତିକରଣ ହେବ । ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ପାଣ୍ଠି ଯୋଗାଇଥା’ନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ପାଇଁ ୧୯,୭୬୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତାହା ମଧ୍ୟରୁ ଡିସେମ୍ବର ଶେଷ ସୁଦ୍ଧା ପ୍ରାୟ ୧୮,୬୨୪ କୋଟି ଟଙ୍କା ବିନିଯୋଗ କରାଯାଇଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗର ଇଞ୍ଜିନିୟର୍‌ ଇନ୍‌ ଚିଫ୍‌ ଭରତ ଚନ୍ଦ୍ର ପ୍ରଧାନ ସଡ଼କ ନିର୍ମାଣରେ ବ୍ୟବହାର କରାଯାଉଥିବା ସବୁଜ ଜ୍ଞାନ କୌଶଳ ଉପସ୍ଥାପନ କରିଥିଲେ । ଏହି କୌଶଳଗୁଡ଼ିକ ନିର୍ମାଣ ମୂଲ୍ୟ ଓ ସମୟ ଦୃଷ୍ଟିରୁ ଅଧିକ ଉପଯୋଗୀ ଓ ଫଳପ୍ରସୂ ହେବ ବୋଲି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ କହିଥିଲେ । ଏହି କୌଶଳ ପ୍ରୟୋଗ କରି ରାଜ୍ୟରେ ପ୍ରାୟ ୯୫୪ କିମି ରାସ୍ତା ସଫଳତାର ସହ ନିର୍ମାଣ କରାଯାଇଛି । ଅଧିକ ୩୫୦୦ କିମି ରାସ୍ତା ନିର୍ମାଣରେ ଏହି ସବୁଜ କୌଶଳ ପ୍ରୟୋଗ କରିବା ପାଇଁ ସ୍ଥିର ହୋଇଥିଲା । ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଅଶୋକ କୁମାର ମୀନାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।