ଖାତା ନ ଦେଖିବାରୁ ଚାକିରି ଗଲା ! ଖାତା ଦେଖାକୁ ବର୍ଜନ କରିଥିବା ଅଧ୍ୟାପକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ସରକାର

26

କନକ ବ୍ୟୁରୋ : କାଲି ନିଲମ୍ବନ ପାଇଁ ନାଲିଆଖି ଦେଖାଇଥିଲେ ସରକାର, ଆଜି ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ । ଯୁକ୍ତ ୨ ପରୀକ୍ଷା ଖାତା ଦେଖାକୁ ବର୍ଜନ କରିଥିବା ଅଧ୍ୟାପକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଦେଖାଇଛି ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ । ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେଇନଥିବା ଇତିହାସ ଅଧ୍ୟାପକ ମାୟାଧର ସାହୁଙ୍କୁ ନିଲମ୍ବନ କରିବା ପାଇଁ ଢେଙ୍କାନାଳ ଆଂଚଳିକ ମହାବିଦ୍ୟାଳୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ । ସେହିପରି ପ୍ରାୟ ୨୦୦୦ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସରକାର । ସେପଟେ ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି କହିଛି ମିଳିତ ମଂଚ ।

ଯୁକ୍ତ ୨ ଖାତା ଦେଖିବା ପାଇଁ ଆସୁନଥିବା ଅଧ୍ୟାପକଙ୍କ ଉପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ ପ୍ରକିୟା । ଗତକାଲି ନିଲମ୍ବନ ପାଇଁ ଧମକ ଦିଆଯାଇଥିବା ବେଳେ ଆଜି କିଛି କଲେଜ କର୍ତ୍ତୃପକ୍ଷକୁ ଦିଆଯାଇଛି ଅଧ୍ୟାପକଙ୍କୁ ସସପେଣ୍ଡ୍ କରିବା ପାଇଁ ନିର୍ଦ୍ଦେଶ । ଢେଙ୍କାନାଳ ଆଂଚଳିକ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ମାୟାଧର ସାହୁଙ୍କୁ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ । ଖାତା ଦେଖିବା ପାଇଁ କଲେଜରୁ ରିଲିଭ୍ ହେବା ପରେ ଅଧ୍ୟାପକ ମାୟାଧର ସାହୁ ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେଇନଥିବାରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଗୋଟିଏ ପଟେ ନିଲମ୍ବନ ପାଇଁ ଆଦେଶ ଅନ୍ୟପଟେ ପ୍ରାୟ ୨୦୦୦ ଅଧ୍ୟାପକଙ୍କୁ ଜବାବ ତଲବ କରିଛନ୍ତି ସରକାର । ମୂଲ୍ୟାୟନରେ କାହିଁକି ଯୋଗ ଦେଉନାହାନ୍ତି, ସେଥିପାଇଁ ତୁରନ୍ତ ଉପରସ୍ଥ ଅଧିକାରୀଙ୍କୁ ଜଣାଇବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ସରକାର କଡ଼ା ଆଭିମୁଖ୍ୟ ଦେଖାଉଥିବା ବେଳେ ଅଧ୍ୟାପକ ସଂଘ ମଧ୍ୟ ନଛୋଡବନ୍ଦା । ପ୍ରଥମେ ଦାବି ପୂରଣ କର, ପରେ ଖାତା ଦେଖା ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ମିଳିତ ମଂଚ । ସରକାର ଓ ବ୍ଳକ ଗ୍ରାଂଟ୍ ଅଧ୍ୟାପକଙ୍କ ଲଢେଇ ଜୋର ଧରିଥିବା ବେଳେ ଝୁଲି ରହିଛି ପିଲାମାନଙ୍କ ଭାଗ୍ୟ । ପ୍ରଥମ ପର୍ଯ୍ୟାୟର ଖାତା ଦେଖା ନବମ ଦିନରେ ପହଁଚିଛି । ହେଲେ ଏବେ ସୁଦ୍ଧା ମାତ୍ର ୪୦ ପ୍ରତିଶତରୁ କମ୍ ଖାତା ଦେଖାଯାଇଥିବା ସୂଚନା ମିଳିଛି । ପ୍ରାୟ ୫୮୦୦ ଅଧ୍ୟାପକଙ୍କୁ ଖାତା ଦେଖିବାକୁ ପାଇଁ ନିଯୁକ୍ତି କରିଥିଲେ ସରକାର । ସେଥିମଧ୍ୟରୁ ପ୍ରାୟ ୩୦୦୦ ବ୍ଳକ୍ ଗ୍ରାଂଟ ଅଧ୍ୟାପକ ଅଛନ୍ତି । ତେବେ ଏହି ଅଧ୍ୟାପକମାନେ ୬ ଦଫା ଦାବି ପୂରଣ ନହେଲେ ଖାତା ଦେଖିବେ ନାହିଁ ବୋଲି ଜିଦ୍ ଧରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେଥିରେ ରହିଛି ସତ୍ୟପାଠ ବ୍ୟବସ୍ଥାର ଉଚ୍ଛେଦ ଦାବି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ବୋଲି ଶୁଣାଇଦେଇଛି ମିଳିତ ମଂଚ ।

ମେ’ ୨୦ ତାରିଖ ପରୀକ୍ଷା ଫଳ ପ୍ରକାଶ କରିବାକୁ ଧାର୍ଯ୍ୟ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଯଦି ଅଧ୍ୟାପକମାନେ ନିଜ ଦାବିରେ ଅଟଳ ରୁହନ୍ତି ତେବେ ମୂଲ୍ୟାୟନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ସାଢେ ତିନି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯିବ ।